କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ସେ ତାଙ୍କ ସଂସଦୀୟ କ୍ଷେତ୍ର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଯାତ୍ରୀ ଏବଂ ମାଲ୍ ପରିବହନର ସୁବିଧା ପାଇଁ ୩ଟି ପ୍ରମୁଖ ଜାତୀୟ ରାଜପଥ (NH) ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ସମ୍ବଲପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପ, ଖଣିଜ ଏବଂ ଆର୍ଥିକ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ତଥା ସମ୍ବଲପୁର-କଟକ ଏନଏଚ-୫୫ର ୬-ଲେନ୍ ସମ୍ପ୍ରସାରଣ ଓ ୪ଟି ଅଣ୍ଡରପାସ୍ ସହ ସମ୍ବଲପୁରରେ ଫ୍ଲାଇଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଏହାସହ ଏନଏଚ-୫୫ର ଅନୁଗୋଳ-ସମ୍ବଲପୁର ସେକ୍ସନରେ ଖଣିଜ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ହେତୁ ସ୍ଥାନୀୟ ଲୋକ ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ସଡ଼କ ସୁରକ୍ଷାକୁ ଆଖିଆଗରେ ରଖି ପିଆଇୟୁ ସମ୍ବଲପୁର ଦ୍ୱାରା ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଏବଂ ଚାରମାଳ ଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।
ସେହିପରି, ଏନଏଚ- ୫୩ ସ୍ଥିତ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ପ୍ରତିଦିନ ଅନେକ ସଂଖ୍ୟକ ରେଳ ଯାତ୍ରୀ ଜାତୀୟ ରାଜପଥ ପାର ହେଉଛନ୍ତି, ଯାହାକି ଗମନାଗମନରେ ସମସ୍ୟା ସୃଷ୍ଟି କରିବା ସହ ଏହାକୁ ଏକ ସମ୍ଭାବ୍ୟ 'ବ୍ଲାକ୍ ସ୍ପଟ୍' ଭାବେ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ଲୋକଙ୍କ ନିରାପଦ ଯାତାୟାତ ପାଇଁ ଏକ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରୀ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।