ଗିଡ଼ିବାପାଲି ଭୂସ୍ଖଳନ, ମାଟି ତଳେ ଚାଲିଛି ଜୀବନ ଖୋଜା

Nov 02, 2026 - 15:20
ଗିଡ଼ିବାପାଲି ଭୂସ୍ଖଳନ, ମାଟି ତଳେ ଚାଲିଛି ଜୀବନ ଖୋଜା

ଗଞ୍ଜାମ/କନ୍ଧମାଳ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜନିତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତବର୍ତ୍ତୀ ଭଞ୍ଜନଗର ବ୍ଲକର ବାଇପାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଛାତିଥରା ଭୂସ୍ଖଳନ ଘଟିଛି । ଯେଉଁଥିରେ ପୂରା ଗାଁ ମାଟି ଓ ପଥର ଅତଡ଼ା ତଳେ ପୋତି ହୋଇଯାଇଛି‌ । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନରେ ୧୨ ନିଖୋଜ ପତ୍ତା ମିଳିପାରି ନାହିଁ । ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟ ପରେ ସେଠାରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳେ ଚାପି ହୋଇ ରହିଥିବା ଜୀବନକୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି ।

ପାହାଡ଼ ଉପରେ ଥିବା ଗିଡ଼ିପାବାଲି ଏକ ଆଦିବାସୀ ଗ୍ରାମ । ଏଠାରେ ପ୍ରାୟ ଗ୍ରାମ ୨୫ଟି ପରିବାର  ବସବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୩ ଜଣ କୌଣସି ପ୍ରକାରେ ଜୀବନ ବଞ୍ଚାଇ ଖସି ଆସିବାରେ ସଫଳ ହୋଇଥିବା ବେଳେ ବାକି ଲୋକମାନେ ମାଟି ତଳେ ଚାପି ହୋଇ ନିଖୋଜ ହୋଇଯାଇଥିଲେ ।  ସେମାନଙ୍କ ମଧ୍ୟରୁ ୧୩ଜଣ ନିଖୋଜ ଥିବାବେଳେ ଜଣକୁ ଉଦ୍ଧାର କରାଯାଇଥିଲା  । ଏଯାବତ ୧୨ ଜଣ ନି ଖୋଜଙ୍କ ପତ୍ତା ମିଳିପାରି ନାହିଁ ।  ତେବେ ବର୍ତ୍ତମାନ ସୁଦ୍ଧା ମାଟି କାଦୁଅ ତଳୁ ୨ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଛି ଏବଂ ଆହୁରି ପ୍ରାୟ ୧୦ ଜଣ ଏବେ ବି ନିଖୋଜ ଅଛନ୍ତି ।  

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ NDRF, ODRAF, ସ୍ପେଶାଲ ଅପରେସନ ଗ୍ରୁପ (SOG), ଅଗ୍ନିଶମ ବାହିନୀ ଏବଂ ରେଳବାଇର ଏକ ବିଶେଷଜ୍ଞ ଦଳ ସମେତ ପ୍ରାୟ ୨୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହା ସହିତ ମାଟି ତଳେ ଥିବା ଜୀବନ ଖୋଜିବା ପାଇଁ ସ୍ନିଫର କୁକୁର ଏବଂ ଲାଇଫ୍ ଡିଟେକ୍ସନ ଉପକରଣର ସାହାଯ୍ୟ ନିଆଯାଉଛି।ଦୁର୍ଗମ ଅଞ୍ଚଳ ଏବଂ ରାସ୍ତାଘାଟ ସମ୍ପୂର୍ଣ୍ଣ କାଦୁଅମୟ ହୋଇଯାଇଥିବାରୁ ସେଠାକୁ କୌଣସି ବଡ଼ କ୍ରେନ୍ ବା ଭାରୀ ଯନ୍ତ୍ରପାତି ଯାଇପାରୁ ନାହିଁ। ରାସ୍ତାରେ ବଡ଼ ବଡ଼ ପଥର ପଡ଼ି ରହିଥିବାରୁ ରେଳ ବିଭାଗ ଓ ଅଗ୍ନିଶମ ବିଭାଗର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କଣ୍ଟ୍ରୋଲ ବ୍ଲାଷ୍ଟିଂ ମାଧ୍ୟମରେ ପଥର ହଟାଇବାକୁ ଯୋଜନା କରାଯାଇଛି
ନିଖୋଜମାନେ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଇଥିଲା । ଉଦ୍ଧାରକାରୀ ଟିମ୍ ସିସ୍ ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍ ବ୍ୟବହାର କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । 

ସେପଟେ, ଭୂସ୍ଖଳନରୁ ବଞ୍ଚିଯାଇଥିବା ସୁରକ୍ଷିତ ଲୋକଙ୍କୁ ଜି. ଉଦୟଗିରି ନିକଟସ୍ଥ ରିଲିଫ୍ କ୍ୟାମ୍ପରେ ରଖାଯାଇଛି ଏବଂ ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।