ନୂଆଦିଲ୍ଲୀ:ଦୀର୍ଘ ତିନି ବର୍ଷ ପରେ ପୁଣି ଭାରତକୁ ଫେରୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଖେଳାଳି ନିଲାମ। ଆଇପିଏଲ୍-୨୦୨୭ର ନିଲାମ ଡିସେମ୍ବରରେ ଗୋଆରେ ଆୟୋଜିତ ହେବ। ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୂମଲ ଏହି ସୂଚନା ଦେଇଥିବାବେଳେ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ମଧ୍ୟ ଗୋଆକୁ ନିଲାମର ସ୍ଥାନ ଭାବେ ନିଶ୍ଚିତ କରିଛନ୍ତି।
ଅରୁଣ ଧୂମଲଙ୍କ କହିବା ଅନୁଯାୟୀ, ଡିସେମ୍ବର ୧୫ ଓ ୧୬ ତାରିଖକୁ ସମ୍ଭାବ୍ୟ ତାରିଖ ଭାବେ ବିଚାର କରାଯାଉଛି। ତେବେ ୨୦୨୭ ସିଜିନ୍ ପାଇଁ ଏହା ଏକ ମିନି ନିଲାମ ହୋଇଥିବାରୁ ଗୋଟିଏ ଦିନରେ ହିଁ ନିଲାମ ପ୍ରକ୍ରିୟା ଶେଷ ହେବା ସମ୍ଭାବନା ରହିଛି।ଗତ ତିନିଟି ସଂସ୍କରଣର ନିଲାମ ବିଦେଶରେ ଆୟୋଜିତ ହୋଇଥିଲା। ଦୁବାଇ, ଜେଦ୍ଦା ଓ ଆବୁଧାବି ଏହି ନିଲାମର ଆୟୋଜକ ହୋଇଥିଲେ। ଏଥିରେ ଜେଦ୍ଦାରେ ଅନୁଷ୍ଠିତ ନିଲାମ ଏକ ମେଗା ଅକ୍ସନ ଥିଲା। ଏବେ ଆଇପିଏଲ୍ ନିଲାମ ପୁଣି ଭାରତକୁ ଫେରୁଛି।
ନିଲାମକୁ ଭାରତକୁ ଫେରାଇ ଆଣିବା ଏକ ସଚେତନ ନିଷ୍ପତ୍ତି ବୋଲି ଅରୁଣ ଧୂମଲ ପୂର୍ବରୁ କହିଥିଲେ। ବିଦେଶରେ ନିଲାମ ଆୟୋଜନ ଯୋଗୁଁ ଫ୍ରାଞ୍ଚାଇଜ୍ ଓ ଅନ୍ୟ ଅଂଶୀଦାରଙ୍କ ପାଇଁ ଯାତାୟାତ ଏବଂ ଲଜିଷ୍ଟିକ୍ସ ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା କରିବାକୁ ପଡ଼ୁଥିଲା।ଗୋଆରେ ପ୍ରଥମଥର ପାଇଁ ଆଇପିଏଲ୍ ନିଲାମ ଆୟୋଜିତ ହେବାକୁ ଥିବାରୁ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଡିସେମ୍ବର ମଧ୍ୟଭାଗରେ ହେବାକୁ ଥିବା ଏହି ମିନି ଅକ୍ସନରେ ଫ୍ରାଞ୍ଚାଇଜ୍ଗୁଡ଼ିକ ନିଜ ଦଳର ଆବଶ୍ୟକତା ଅନୁଯାୟୀ ଖେଳାଳି କିଣିବା ପାଇଁ ନିଲାମରେ ଭାଗ ନେବେ।