ଗ୍ରୀନଲ୍ୟାଣ୍ଡରେ ନିର୍ମାଣ ହେବ ଆମେରିକାର ସାମରିକ ଘାଟି
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍ସେନ ଏବଂ ଗ୍ରୀନଲ୍ୟାଣ୍ଡର ଜେନ୍ସ-ଫ୍ରେଡେରିକ୍ ନିଲସେନ ଏକ ନୂତନ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପ ଏହି ଚୁକ୍ତିନାମାକୁ ଦୀର୍ଘ ପ୍ରୟାସର ପରିଣାମ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଆମେରିକା, ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ। ଫ୍ରେଡେରିକ୍ସେନ ଏହି ଚୁକ୍ତିନାମାକୁ ଡେନମାର୍କର ଆମେରିକା ସହିତ ଦୀର୍ଘକାଳୀନ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି। ୭୫ ବର୍ଷ ପୂର୍ବେ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ଉପରେ ଏକ ଚୁକ୍ତିନାମା ହୋଇଥିଲା। ଏହି ନୂତନ ଚୁକ୍ତିନାମା ସୁରକ୍ଷା ଏବଂ ପ୍ରତିରୋଧକୁ ସୁଦୃଢ଼ କରିବା ସହ ଶତ୍ରୁ ଶକ୍ତିକୁ ଗ୍ରୀନଲ୍ୟାଣ୍ଡରେ ପାଦ ଦେବାରୁ ରୋକିବ। ନିଲସେନ କହିଛନ୍ତି, ଏହି ଚୁକ୍ତିନାମା ୧୯୫୧ ପ୍ରତିରକ୍ଷା ଚୁକ୍ତିନାମାର ଅପଡେଟ୍। ଏହି ଚୁକ୍ତି ଗ୍ରୀନଲ୍ୟାଣ୍ଡର ସିଧାସଳଖ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ସହ ତିନି ସହଭାଗୀ ପକ୍ଷଙ୍କ ମିଳିତ ଦାୟିତ୍ୱ, ପାରସ୍ପରିକ ସମ୍ମାନ ଏବଂ ଆର୍କଟିକରେ ଶାନ୍ତି ବଜାୟ ରଖିବାର ଲକ୍ଷ୍ୟ ଉପରେ ଆଧାରିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଶୀତଳ ଯୁଦ୍ଧ ସମୟରେ ଗ୍ରୀନଲ୍ୟାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭୂମିକା ଗ୍ରହଣ କରି ଆମେରିକାର ଘରୋଇ ସୁରକ୍ଷାକୁ ସମର୍ଥନ କରିଆସୁଛି। ସେ ଆର୍କଟିକରେ ସୁରକ୍ଷା ପାଇଁ ବଢୁଥିବା ପ୍ରତିଯୋଗିତା ମଧ୍ୟରେ ନାଟୋ ଏବଂ ପଶ୍ଚିମ ମେଣ୍ଟ ପ୍ରତି ଗ୍ରୀନଲ୍ୟାଣ୍ଡର ପ୍ରତିବଦ୍ଧତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।