ଘୁଷୁରୀଙ୍କ ସହ ପହଁରିବାକୁ ଆସୁଛନ୍ତି ପର୍ଯ୍ୟଟକ
ଗ୍ରୀସର ଆୟୋନିଆନ୍ ସମୁଦ୍ରରେ ଅବସ୍ଥିତ ପ୍ରାକୃତିକ ସୁନ୍ଦରତାପୂର୍ଣ୍ଣ ପ୍ରାଇଭେଟ୍ ଦ୍ୱୀପ ‘ଆଟୋକୋସ୍’ରେ ଏବେ ଏକ ନୂଆ ଏବଂ ଆକର୍ଷଣୀୟ ପର୍ଯ୍ୟଟନ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି । ଯେଉଁଠାରେ କଳା ଘୁଷୁରୀଙ୍କ ସହ ପର୍ଯ୍ୟଟକମାନେ ପହଁରିବାର ମଜା ନେଉଛନ୍ତି । ଗ୍ରୀଷ୍ମଦିନେ ତାପମାତ୍ରା ବୃଦ୍ଧି ପାଇଲେ ଏହି ପଶୁମାନେ ଶରୀରକୁ ଥଣ୍ଡା କରିବା ପାଇଁ ସମୁଦ୍ର ଭିତରେ ପହଁରିଥାଆନ୍ତି ଏବଂ ସେଠାରେ ଉପସ୍ଥିତ ପର୍ଯ୍ୟଟକଙ୍କ ସହ ପହଁରିବା ଆରମ୍ଭ କରନ୍ତି । ପୂର୍ବରୁ ବହୁତ କମ୍ ଲୋକଙ୍କୁ ଜଣାଥିବା ଏହି ଅଜ୍ଞାତ ଦ୍ୱୀପଟି ଇନଷ୍ଟାଗ୍ରାମ୍ ଓ ଟିକ୍ଟକ୍ରେ ଏହି କଳା ଘୁଷୁରିଙ୍କ ଭିଡିଓ ଭାଇରାଲ୍ ହେବା ପରେ ହଠାତ୍ ଚର୍ଚ୍ଚାକୁ ଆସିଥିଲା । ଯାହାପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁଗୁଣିତ ହୋଇଛି । ମଣିଷଙ୍କ ସହ ଅଭ୍ୟସ୍ତ ହୋଇସାରିଥିବା ଏହି ଘୁଷୁରିମାନେ ସମୁଦ୍ର କୂଳରେ ଖାଦ୍ୟ ସନ୍ଧାନରେ ବୁଲିଥାଆନ୍ତି । ତେବେ ସେମାନଙ୍କ ସହ ସମୟ ବିତାଇବା ଏବଂ ସେମାନଙ୍କୁ ଦେଖିବା ପାଇଁ ଏବେ ବିଶେଷ ଭାବେ ଛୁଟିଦିନରେ ଲୋକେ ଆଟୋକୋସ୍ ଆସୁଛନ୍ତି । ଇଥାକାର ଜଣେ ଟୁର୍ ଅପରେଟରଙ୍କ ଅନୁଯାୟୀ, ଗ୍ରୀସର ଇଥାକା, ଲେଫକାଡା ଓ କେଫାଲୋନିଆରୁ ଡଙ୍ଗା ମାଧ୍ୟମରେ ଅନେକ ପର୍ଯ୍ୟଟକ ସ୍ୱତନ୍ତ୍ର ଭାବେ ଏହି ଘୁଷୁରିମାନଙ୍କୁ ଭେଟିବାକୁ ଆସୁଥିବାରୁ ଏହି ଦ୍ୱୀପକୁ ସୋସିଆଲ ମିଡିଆରେ ‘ପିଗି ଆଇଲ୍ୟାଣ୍ଡ’ ବୋଲି ନାମ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।