ଚମାଖଣ୍ଡି ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

Oct 15, 2026 - 16:06
ଚମାଖଣ୍ଡି ସିରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଟ୍ରକ ଧକ୍କା ହେବାରୁ ଉଭୟ ଗାଡି ଭାରସାମ୍ୟ ହରାଇ ଜାତୀୟ ରାଜପଥ ନିକଟରେ ଛିଡା ହୋଇଥିବା ପଥଚାରୀଙ୍କ ଉପରେ ଚଢ଼ିଯାଇ ସିରିଜ ଦୁର୍ଘଟଣା ଘଟାଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମପୁରର ରୋଜାଲିନ ମିଶ୍ର, ନାଉଳି ଗ୍ରାମର ଲକ୍ଷ୍ମୀଧର ଗୌଡ଼ ଏବଂ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ବିନୋଦ କୁମାର। ଦୁର୍ଘଟଣାରେ ଆହତ ଆହୁରି ଅନେକ ବ୍ୟକ୍ତି ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଛତ୍ରପୁର ଅଭିମୁଖେ ଯାଉଥିବା ଏକ କାର୍ ସାମ୍ନାରେ ଥିବା ଟ୍ରକ୍‌କୁ ଧକ୍କା ଦେବା ପରେ ଦୁଇଟିଯାକ ଗାଡ଼ି ନିୟନ୍ତ୍ରଣ ହରାଇ କେତେକ ମୋଟରସାଇକେଲ୍ ଓ ସାଇକେଲ୍ ଉପରେ ଚଢ଼ି ଯାଇଥିଲେ । ଫଳରେ ଗାଡ଼ିଗୁଡ଼ିକ ଚାପି ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଛତ୍ରପୁର ଟ୍ରେଜେରୀ କାର୍ଯ୍ୟାଳୟର କର୍ମଚାରୀ ରୋଜାଲିନ୍ ମିଶ୍ରଙ୍କର ମୃତ୍ୟୁ ଘଟିଛି। ଏହାସହିତ ସେହି କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀ ଟି. କ୍ରିଷ୍ଣାଙ୍କ ସମେତ ସ୍ଥାନୀୟ ଅଞ୍ଚଳର କୃଷ୍ଣଚନ୍ଦ୍ର ବିଷୋୟୀ, ରୋଷନ୍ ନାହାକ, ଲକ୍ଷ୍ମୀଧର ଗୌଡ଼, ପ୍ରଭାକର ନାୟକ, ଲିପ୍ସାରାଣୀ, ମୋହନ ଚନ୍ଦ୍ର ଏବଂ ଉତ୍ତରପ୍ରଦେଶର ବିନୋଦ କୁମାର ଓ ବିକାଶ ରାଜପୁତ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଆହତ ଯୋଶୱନ୍ତ ରେଡ୍ଡୀ ଓ ଚନ୍ଦନ ରାଉଳଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଫୁଟେଜ୍‌ରେ ଦୁର୍ଘଟଣାର ଭୟାବହ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । 

ଅନ୍ୟପକ୍ଷରେ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପହଞ୍ଚି ଚିକିତ୍ସାଧୀନ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେ ଡାକ୍ତରମାନଙ୍କ ସହ ଆହତଙ୍କ ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏଥିସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଏହି ଦୁଃଖଦ ଘଟଣାକୁ ନେଇ ଚମାଖଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।