ଚାନ୍ଦିମେଢରେ ଝଲସିବ କଟକ

Oct 19, 2026 - 14:46
ଚାନ୍ଦିମେଢରେ ଝଲସିବ କଟକ

 

କଟକର ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ; ଏହା ଓଡ଼ିଆ ଅସ୍ମିତା, କଳା, ସଂସ୍କୃତି, ଐତିହ୍ୟ ଓ ସାମାଜିକ ଏକତାର ଏକ ଜୀବନ୍ତ ମହୋତ୍ସବ । ଚାନ୍ଦିମେଢ଼ର ଚମକ, ସୁନା ଅଳଙ୍କାରର ଆଭା, ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକସଜ୍ଜା ଏହି ଉତ୍ସବକୁ ଅନନ୍ୟ କରିଥାଏ । କିନ୍ତୁ ଏସବୁ ଆକର୍ଷଣର ଅନ୍ତରାଳରେ ରହିଛି ମା’ଙ୍କ ପ୍ରତି ଅଗାଢ଼ ଭକ୍ତି, ପିଢ଼ି ପରେ ପିଢ଼ି ଧରି ବଞ୍ଚି ରହିଥିବା ପରମ୍ପରା, ଶିଳ୍ପୀଙ୍କ ନିଖୁଣ କାରିଗରୀ ଏବଂ ସାହିବାସୀଙ୍କ ସାମୂହିକ ଉଦ୍ୟମ । ମହାନଦୀ ଓ କାଠଯୋଡ଼ିର କୋଳରେ ଗଢ଼ିଉଠିଥିବା ଐତିହାସିକ କଟକର ପରିଚୟ ଯେପରି ତାର ବାଉନ ବଜାର ତେପନ ଗଳିରେ ରହିଛି, ସେହିପରି ଏହାର ସାଂସ୍କୃତିକ ଆତ୍ମା ରହିଛି ଦୁର୍ଗାପୂଜାରେ । ଏଠାରେ ମା’ଙ୍କ ଆଗମନରେ କେବଳ ମଣ୍ଡପ ନୁହେଁ, ପ୍ରତ୍ୟେକ ସାହି, ଗଳି ଓ ଛକ ଉତ୍ସବମୁଖର ହୋଇଉଠେ । ମେଢ଼ରେ ରୂପା ଝଲସେ, ମା’ଙ୍କ ମସ୍ତକରେ ସୁନା ମୁକୁଟ ଶୋଭାପାଏ, ଆଲୋକରେ ନଗରୀ ଝଲମଲ କରେ। ତା’ ସହିତ ମଣିଷ ମନରେ ଜାଗିଉଠେ ଶ୍ରଦ୍ଧା, ସ୍ନେହ, ସହଯୋଗ ଓ ଭାଇଚାରାର ଅନନ୍ୟ ଭାବନା ।

କଟକର ଦୁର୍ଗାପୂଜାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଐତିହ୍ୟ ଓ ଆଧୁନିକତାର ଅପୂର୍ବ ସମନ୍ୱୟ । ପୁରୁଣା ପରମ୍ପରାକୁ ହୃଦୟରେ ଧରି ନୂଆ ପିଢ଼ି ଆଗକୁ ବଢ଼ୁଛି । ଏଠାରେ ଚାନ୍ଦିମେଢ଼ କେବଳ ଏକ ଅଳଙ୍କାର ନୁହେଁ, ଏହା ସାହିବାସୀଙ୍କ ସ୍ୱପ୍ନ, ଆତ୍ମସମ୍ମାନ ଓ ସାମୂହିକ ପରିଚୟର ପ୍ରତୀକ । ଚୌଧୁରୀବଜାରରୁ ଆରମ୍ଭ ହୋଇଥିବା ଚାନ୍ଦିମେଢ଼ର ଯାତ୍ରା ଆଜି ଏକ ସ୍ୱତନ୍ତ୍ର ପରମ୍ପରାରେ ପରିଣତ ହୋଇଛି । ଏହି ପରମ୍ପରାରେ ଯୋଡ଼ି ହୋଇଛି ଶେଖବଜାର, ଚାଉଳିଆଗଞ୍ଜ, ରାଣୀହାଟ, ଚାନ୍ଦିନୀଚୌକ ସମେତ ସହରର ଅନେକ ପୂଜାମଣ୍ଡପ ।

ଚାନ୍ଦିର ଚମକରେ ଝଲସିବ ରୌପ୍ୟନଗରୀ

ଦଶଭୂଜାଙ୍କ ଆଗମନ ସହ କଟକରେ ଆରମ୍ଭ ହୋଇଯାଇଛି ଶାରଦୀୟ ଉତ୍ସବର ମହାଆୟୋଜନ । ସହରର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟ ପ୍ରତିମା ସହ ଚାନ୍ଦିମେଢ଼ ଓ ସୁନା ଅଳଙ୍କାରର ଆକର୍ଷଣ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିବ। ଚଳିତବର୍ଷ ଚାନ୍ଦିମେଢ଼ ତାଲିକାରେ ନୂଆ ମଣ୍ଡପ ଯୋଡ଼ି ହେବା ସହ ରୌପ୍ୟନଗରୀର ଆକର୍ଷଣ ଆହୁରି ବୃଦ୍ଧି ପାଇଛି । ପ୍ରଶାସନିକ ସୂଚନା ଅନୁସାରେ, ସହରର ୨୮ଟି ଚାନ୍ଦିମେଢ଼ରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରୂପା ବ୍ୟବହୃତ ହୋଇଛି । ଏହାସହ ୯ଟି ପୂଜାମଣ୍ଡପରେ ପ୍ରାୟ ୯୭ କିଲୋରୁ ଅଧିକ ସୁନା ଅଳଙ୍କାର ରହିଛି । ଚାନ୍ଦିମେଢ଼ର କାରୁକାର୍ଯ୍ୟ, ସୁନା ମୁକୁଟ, କଲିକା ଓ ବିଭିନ୍ନ ଅଳଙ୍କାର ମା’ଙ୍କ ମଣ୍ଡପକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ । ଏହି ବର୍ଷ  

 କଲେଜଛକ ପୂଜା କମିଟି ପକ୍ଷରୁ ନୂଆ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି । ପ୍ରାୟ ୩ କୁଇଣ୍ଟାଲ ରୂପାରେ ଏହି ମେଢ଼ ନିର୍ମିତ ହୋଇଥିବା ବେଳେ ଏକ କିଲୋଗ୍ରାମ ସୁନାରେ ଅଳଙ୍କାର ପ୍ରସ୍ତୁତ ହୋଇଛି । ଅନ୍ୟପକ୍ଷରେ, ମୂଲ୍ୟବାନ ଚାନ୍ଦିମେଢ଼ଗୁଡ଼ିକର ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମେଢ଼ଗୁଡ଼ିକର ସୁରକ୍ଷାରେ ସଶସ୍ତ୍ର ପୁଲିସ ମୁତୟନ କରିବାକୁ ଯୋଜନା ରହିଛି । କଟକ ମହାନଗରରେ ପ୍ରାୟ ୧୭୦ଟି ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଥାନ୍ତି । ପ୍ରତ୍ୟେକ ମଣ୍ଡପର ରହିଛି ନିଜସ୍ୱ ଇତିହାସ, ପୂଜାବିଧି ଓ ସ୍ୱତନ୍ତ୍ରତା । କେଉଁଠି ରାଜକୀୟ ପରମ୍ପରା, କେଉଁଠି ବଙ୍ଗୀୟ ପୂଜାବିଧି, ତ ଆଉ କେଉଁଠି ସ୍ଥାନୀୟ ସଂସ୍କୃତି ଓ ଲୋକାଚାରର ସମନ୍ୱୟ ଦେଖିବାକୁ ମିଳେ ।

ଚୌଧୁରୀବଜାର

------=-======-==

 ଚାନ୍ଦିମେଢ଼ ପରମ୍ପରାର ଐତିହାସିକ ଆରମ୍ଭ

କଟକର ଦୁର୍ଗାପୂଜା ଇତିହାସରେ ଚୌଧୁରୀବଜାରର ସ୍ଥାନ ସ୍ୱତନ୍ତ୍ର । ସହରରେ ଚାନ୍ଦିମେଢ଼ ପରମ୍ପରାର ଆରମ୍ଭ ଏହି ପୂଜାମଣ୍ଡପରୁ ହୋଇଥିବାରୁ ଏହାକୁ କଟକର ରୌପ୍ୟ ଐତିହ୍ୟର ଅନ୍ୟତମ ଆଧାର ଭାବେ ଗଣାଯାଏ । ୧୯୫୬ ମସିହାରେ ଚୌଧୁରୀବଜାରରେ ପ୍ରଥମ ଚାନ୍ଦିମେଢ଼ ନିର୍ମାଣ ହୋଇଥିଲା । ସେହି ସମୟରେ ଏହା କେବଳ ଏକ ନୂଆ ଶିଳ୍ପକଳାର ପ୍ରୟୋଗ ନଥିଲା; ଏହା ଥିଲା ସାହିବାସୀଙ୍କ ଭକ୍ତି, ଏକତା ଓ ସାଂସ୍କୃତିକ ଆକାଂକ୍ଷାର ଏକ ଦୃଶ୍ୟମାନ ପ୍ରତୀକ । ଚୌଧୁରୀବଜାରର ଚାନ୍ଦିମେଢ଼ ଏକ ନୂଆ ପରମ୍ପରାର ବାଟ ଖୋଲିଥିଲା । ଏହା ପରେ ସହରର ଅନ୍ୟ ପୂଜା କମିଟିଗୁଡ଼ିକ ମଧ୍ୟ ନିଜ ମଣ୍ଡପକୁ ଚାନ୍ଦିରେ ସଜାଇବା ଦିଗରେ ଆଗେଇ ଆସିଥିଲେ । ୧୯୯୧ ମସିହାରେ ଶେଖବଜାର ପୂଜା କମିଟି ଦ୍ୱିତୀୟ ଚାନ୍ଦିମେଢ଼ ନିର୍ମାଣ କରି ଏହି ପରମ୍ପରାକୁ ଆହୁରି ସମୃଦ୍ଧ କରିଥିଲା । ଧୀରେ ଧୀରେ ରୂପାର କାରୁକାର୍ଯ୍ୟ କଟକ ଦୁର୍ଗାପୂଜାର ଏକ ପରିଚୟରେ ପରିଣତ ହୋଇଥିଲା। ଚୌଧୁରୀବଜାରର ଐତିହ୍ୟ କେବଳ ଚାନ୍ଦିମେଢ଼ରେ ସୀମିତ ନୁହେଁ । ଏଠାକାର ପୂଜା ପରମ୍ପରାରେ ରହିଛି ପୁରୁଣା କଟକର ସାମାଜିକ ଜୀବନ, ସାହି ସଂସ୍କୃତି ଓ ଗୋଷ୍ଠୀଗତ ସମ୍ପର୍କର ଛବି । ପୂଜା ଆସିଲେ ସାହିର ଯୁବକଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଦାୟିତ୍ୱ ନେଇ କାର୍ଯ୍ୟରେ ଲାଗିପଡ଼ନ୍ତି । ମଣ୍ଡପ ସଜାଇବା, ପୂଜାର ଆୟୋଜନ, ଭୋଗ ବଣ୍ଟନ ଓ ଭସାଣି ଶୋଭାଯାତ୍ରାରେ ସମସ୍ତଙ୍କ ସହଯୋଗ ଏହି ପରମ୍ପରାକୁ ଜୀବନ୍ତ ରଖିଛି । ଚାନ୍ଦିମେଢ଼ର କାରୁକାର୍ଯ୍ୟ ମଧ୍ୟ ଏହି ଐତିହ୍ୟର ଏକ ମୂଲ୍ୟବାନ ଅଂଶ । ରୂପାର ପତ୍ରରେ ସୂକ୍ଷ୍ମ ନକ୍ସା, ଫୁଲ, ଲତା ଓ ପାରମ୍ପରିକ ଆକୃତିର ନିଖୁଣ ରୂପାୟନ ପାଇଁ ଶିଳ୍ପୀଙ୍କ ଅସୀମ ଧୈର୍ଯ୍ୟ ଓ ଦକ୍ଷତା ଆବଶ୍ୟକ ହୋଇଥାଏ । ଏହି କାରୁକାର୍ଯ୍ୟରେ ରହିଛି ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ପ୍ରଭାବ । ଏହା ଦର୍ଶାଏ ଯେ, କଟକର ଦୁର୍ଗାପୂଜା କେବଳ ଭକ୍ତିର ପର୍ବ ନୁହେଁ, ଶିଳ୍ପୀଙ୍କ ପ୍ରତିଭାକୁ ସମ୍ମାନ ଦେବାର ଏକ ଅବସର ମଧ୍ୟ ।

ଚୌଧୁରୀବଜାରର ଚାନ୍ଦିମେଢ଼ ଆଜି କଟକର ଅନ୍ୟ ମଣ୍ଡପଗୁଡ଼ିକ ପାଇଁ ଏକ ପ୍ରେରଣାର ଉତ୍ସ । ଏହାର ଇତିହାସ ମନେ ପକାଇଦିଏ ଯେ, ଏକ ସାମୂହିକ ସଂକଳ୍ପ କିପରି ସମୟକ୍ରମେ ସହରର ସାଂସ୍କୃତିକ ପରିଚୟ ହୋଇପାରେ । ଆଜି କଟକର ଚାନ୍ଦିମେଢ଼ ଦେଶବିଦେଶର ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ଏହାର ମୂଳରେ ରହିଛି ଚୌଧୁରୀବଜାରର ସେହି ଐତିହାସିକ ପଦକ୍ଷେପ ।

ସୁନା ଅଳଙ୍କାରରେ ମା’ଙ୍କ ଦିବ୍ୟ ରୂପ। ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ମା’ଙ୍କ ପ୍ରତିମାରେ ସୁନା ଅଳଙ୍କାରର ବ୍ୟବହାର । ଚାନ୍ଦିମେଢ଼ ସହ ସୁନା ମୁକୁଟ, କଲିକା, ଚିକ, ସିନ୍ଥି ଓ କାନଫୁଲ ମା’ଙ୍କ ରୂପକୁ ଅଧିକ ଦିବ୍ୟ ଓ ଆକର୍ଷଣୀୟ କରିଥାଏ । ଚୌଧୁରୀବଜାରର ମେଢ଼ରେ ସୁନାର କଲିକା ଲାଗିଛି । ପ୍ରତ୍ୟେକ କଲିକାର ଓଜନ ଏକ କିଲୋଗ୍ରାମରୁ ଅଧିକ ବୋଲି ସୂଚନା ମିଳିଛି । ଶେଖବଜାରର ମେଢ଼ରେ ମଧ୍ୟ ପାଞ୍ଚ କିଲୋଗ୍ରାମରୁ ଅଧିକ ସୁନାର କାରୁକାର୍ଯ୍ୟ ରହିଛି । କାଠଗଡ଼ାସାହି, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ରାଣୀହାଟ, ଖାନନଗର, ହରିପୁର-ଦୋଳମୁଣ୍ଡାଇ ଓ କଲେଜଛକ ଭଳି ମଣ୍ଡପରେ ମଧ୍ୟ ସୁନାର ମୁକୁଟ ଓ ଅଳଙ୍କାର ବ୍ୟବହୃତ ହୋଇଛି। ଏହି ସୁନା ଓ ଚାନ୍ଦିର ଅଳଙ୍କାର କେବଳ ଆର୍ଥିକ ମୂଲ୍ୟରେ ମାପିବାର ବସ୍ତୁ ନୁହେଁ । ଏହା ପଛରେ ରହିଛି ଭକ୍ତଙ୍କ ଆସ୍ଥା, ସାହିବାସୀଙ୍କ ଅବଦାନ ଓ ମା’ଙ୍କ ପ୍ରତି ସମର୍ପଣର ଭାବନା। ପ୍ରତିବର୍ଷ ଏହି ଅଳଙ୍କାରର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ।

 

ଶେଖବଜାର

--------------==

 ଚାନ୍ଦିମେଢ଼ରେ ପରମ୍ପରା, ପୂଜାରେ ସ୍ୱତନ୍ତ୍ରତା

କଟକର ଦୁର୍ଗାପୂଜା ଇତିହାସରେ ଶେଖବଜାରର ସ୍ଥାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଠାରେ ୧୮୭୫ ମସିହାରେ ହର-ପାର୍ବତୀଙ୍କ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୦୨ ମସିହାରେ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ସାହିର ମୂରବୀ, ସ୍ଥାନୀୟ ଜନସାଧାରଣ ଓ ସୂର୍‌ ପରିବାରର ମିଳିତ ଉଦ୍ୟମରେ ଏହି ପରମ୍ପରା ଆଗକୁ ବଢ଼ିଥିଲା। ବୈଷ୍ଣବ ରୀତିନୀତି ସହ ବଙ୍ଗୀୟ ପରମ୍ପରାର ସମନ୍ୱୟ ଏଠାକାର ପୂଜାକୁ ସ୍ୱତନ୍ତ୍ର କରିଛି । ପ୍ରଥମେ ଗୋଲ୍ଡେନ୍ ଜରିରେ ମେଢ଼ ସଜାଯାଉଥିବା ବେଳେ ୧୯୯୧ ମସିହାରେ ଚାନ୍ଦିମେଢ଼ ନିର୍ମାଣ ଏହାର ଆକର୍ଷଣକୁ ନୂଆ ଦିଗ ଦେଇଥିଲା । ଏଠାକାର ମା’ଙ୍କ ପ୍ରତିମା ପ୍ରାୟ ୭ ଫୁଟ ଉଚ୍ଚ ହୋଇଥିବା ବେଳେ ମେଢ଼ର ଉଚ୍ଚତା ୧୮ ଫୁଟ। ମେଢ଼ରେ ସୁନାର ମୟୂର ଚନ୍ଦ୍ରିକା ଶୋଭା ପାଉଛି । ୨୦୦୫ ମସିହାରେ ମା’ଙ୍କ ପାଇଁ ସୁନାର ମୁକୁଟ ନିର୍ମାଣ କରାଯାଇଥିଲା । ପୂଜା ସମୟରେ ନୀତିଭୋଗ, ନବମୀରେ ପ୍ରସାଦ ବଣ୍ଟନ ଓ ଦଶମୀରେ ଦହିପଖାଳ ଭୋଗ ଏଠାକାର ପରମ୍ପରାକୁ ଆହୁରି ଆକର୍ଷଣୀୟ କରିଥାଏ । ଦଶମୀରେ ମହିଳାମାନଙ୍କ ସିନ୍ଦୂର ଖେଳ, ପାରମ୍ପରିକ ବାଦ୍ୟରେ ଭସାଣି ଓ ଆଲୋକସଜ୍ଜା ଏଠାକାର ପୂଜାର ବିଶେଷ ଆକର୍ଷଣ । ଡିଜେ ପରିବର୍ତ୍ତେ ପାରମ୍ପରିକ ବାଦ୍ୟକୁ ପ୍ରାଧାନ୍ୟ ଦେବା ଏହି କମିଟିର ସାଂସ୍କୃତିକ ଚେତନାକୁ ପ୍ରତିଫଳିତ କରେ ।

 

ଚାନ୍ଦିନୀଚୌକ

----------------

ପାଞ୍ଚଶହ ବର୍ଷର ଐତିହ୍ୟ

କଟକର ପୁରାତନ ପୂଜାମଣ୍ଡପଗୁଡ଼ିକ ମଧ୍ୟରେ ଚାନ୍ଦିନୀଚୌକର ଦୁର୍ଗାପୂଜା ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ପ୍ରାୟ ପାଞ୍ଚଶହ ବର୍ଷର ପରମ୍ପରା ସହ ଏହି ପୂଜା ଯୋଡ଼ି ହୋଇଥିବା କୁହାଯାଏ । ଏଠାକାର ପୂଜାବିଧି, ଐତିହ୍ୟ ଓ ଲୋକକଥା କଟକର ସାଂସ୍କୃତିକ ଇତିହାସକୁ ସମୃଦ୍ଧ କରିଛି । କିମ୍ବଦନ୍ତୀ ଅନୁସାରେ, ପୂର୍ବରୁ କଟକରେ ହାତଗଣତି କେତୋଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଥିଲେ । ଚାନ୍ଦିନୀଚୌକର ମା’ଙ୍କୁ ସାନ ଭଉଣୀ ଭାବେ ମାନ୍ୟତା ଦିଆଯାଉଥିବା ଲୋକକଥା ରହିଛି । ଏହି ଅଞ୍ଚଳରେ ପ୍ରଥମେ ବଙ୍ଗୀୟ ପରିବାରମାନେ ନିଜ ଘର ବାରଣ୍ଡାରେ ମା’ଙ୍କ ପୂଜା କରୁଥିଲେ । ପରବର୍ତ୍ତୀ ସମୟରେ ଦର୍ପଣୀ ରାଜପରିବାର ପୂଜା ପରିଚାଳନାର ଦାୟିତ୍ୱ ନେଇଥିଲେ । ଏହି କାରଣରୁ ଚାନ୍ଦିନୀଚୌକର ମେଢ଼କୁ ରାଜାଘର ମେଢ଼ ବୋଲି ମଧ୍ୟ କୁହାଯାଏ । ରାଜତନ୍ତ୍ରର ଅବସାନ ପରେ ଅଞ୍ଚଳବାସୀ ପୂଜାର ଦାୟିତ୍ୱ ନିଜ ହାତକୁ ନେଇଥିଲେ । ଏହା ଦର୍ଶାଏ ଯେ, ସମୟ ବଦଳିଲେ ମଧ୍ୟ ମା’ଙ୍କ ପ୍ରତି ଭକ୍ତି ଓ ପରମ୍ପରା ପ୍ରତି ଆନୁଗତ୍ୟ କିପରି ଅକ୍ଷୁଣ୍ଣ ରହିପାରେ। ୨୦୦୩ ମସିହାରେ ଏଠାରେ ପ୍ରାୟ ସାଢ଼େ ଚାରି କୁଇଣ୍ଟାଲ ଓଜନର ଚାନ୍ଦିମେଢ଼ ନିର୍ମାଣ କରାଯାଇଥିଲା। ମା’ଙ୍କ ସହ ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ଚାନ୍ଦି ଅଳଙ୍କାର ତିଆରି କରାଯାଇଛି । ଏଠାରେ ସୁନାର ମୁକୁଟ, ଚିକ, ସିନ୍ଥି ଓ କାନଫୁଲ ମା’ଙ୍କ ଶୋଭା ବୃଦ୍ଧି କରିଥାଏ। ଚାନ୍ଦିନୀଚୌକର ପୂଜାର ଆଉ ଏକ ଆକର୍ଷଣ ହେଉଛି ଭୋଗ ପରମ୍ପରା । ଅଷ୍ଟମୀରେ ଲଡ଼ୁ ଭୋଗ ଓ ନବମୀରେ ମାଛଭୋଗ ଏଠାକାର ନିଆରା ପରମ୍ପରା ଭାବେ ପରିଚିତ । ଭୋଗ ପ୍ରସ୍ତୁତି ଓ ବଣ୍ଟନରେ ସାହିବାସୀଙ୍କ ସହଯୋଗ ଏହି ପୂଜାକୁ ଗୋଷ୍ଠୀଗତ ଉତ୍ସବର ରୂପ ଦେଇଥାଏ । ଆଲୋକସଜ୍ଜା, ଲାଇଟ୍ ଗେଟ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରମ୍ପରିକ ବାଦ୍ୟରେ ଭସାଣି ଏଠାକାର ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥାଏ ।

 

ଚାଉଳିଆଗଞ୍ଜ

---------==--------

 ସୁନା ଅଳଙ୍କାର ସହ ଆଲୋକର ମହୋତ୍ସବ

କଟକ ସହରର ପୂର୍ବାଞ୍ଚଳରେ ଅବସ୍ଥିତ ଚାଉଳିଆଗଞ୍ଜ ପୂଜାମଣ୍ଡପ ଚାନ୍ଦିମେଢ଼ ଓ ଆଲୋକସଜ୍ଜା ପାଇଁ ବେଶ୍ ପରିଚିତ । ୧୯୯୯ ମସିହାରୁ ଏଠାରେ ଚାନ୍ଦିମେଢ଼ରେ ମା’ ପୂଜା ପାଇଆସୁଛନ୍ତି । ପ୍ରତିବର୍ଷ ନୂଆ ଆକର୍ଷଣ ଯୋଡ଼ିବା ଏହି ପୂଜା କମିଟିର ବିଶେଷତ୍ୱ। ଚଳିତବର୍ଷ ମା’ଙ୍କ ସହ ପାର୍ଶ୍ୱ ଦେବାଦେବୀ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକେୟଙ୍କ ପାଇଁ ସୁନା ହାର ପ୍ରସ୍ତୁତ କରାଯାଇଛି । ଏହା ସହ ମା’ଙ୍କ ସୁନା ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର ମେଢ଼ର ଶୋଭା ବୃଦ୍ଧି କରିବ । ଚାଉଳିଆଗଞ୍ଜର ପୂଜା କେବଳ ମେଢ଼ରେ ସୀମିତ ନୁହେଁ। ଓଏମ୍‌ପି ଛକରୁ ନୂଆବଜାର ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ଦୁଇ କିଲୋମିଟର ରାସ୍ତାରେ ଆଲୋକସଜ୍ଜା ଓ ଆକର୍ଷଣୀୟ ତୋରଣ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଆକୃତିର ଗେଟ୍ ଓ ରଙ୍ଗିନ ଆଲୋକରେ ଅଞ୍ଚଳଟି ଝଲସିଉଠେ ।

ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷାରେ କମିଟିର ସଦସ୍ୟମାନେ ପୁଲିସକୁ ସହଯୋଗ କରିଥାନ୍ତି । ଏହି ସାମୂହିକ ସହଯୋଗ ହିଁ କଟକ ଦୁର୍ଗାପୂଜାର ସାମାଜିକ ଚରିତ୍ରକୁ ସ୍ପଷ୍ଟ କରେ ।

ଖାନନଗର - ଖପୁରିଆ

-------==----=====

 

ଖାନନଗର - ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ୧୯୪୭ ମସିହାରୁ ଶାରଦୀୟ ପୂଜା ପାଳନ କରାଯାଉଛି । ପ୍ରଥମେ ଏଠାରେ ହର-ପାର୍ବତୀଙ୍କ ପୂଜା ହେଉଥିବା ବେଳେ ୧୯୭୨ ମସିହାରୁ ମା’ ଦୁର୍ଗାଙ୍କ ପ୍ରତିମା ପୂଜା ପାଇଆସୁଛନ୍ତି । ୨୦୧୧ ମସିହାରେ ଏଠାରେ ଚାନ୍ଦିମେଢ଼ ନିର୍ମାଣ ହୋଇଥିଲା ଏବଂ ୨୦୧୮ରେ ମା’ଙ୍କ ପାଇଁ ସୁନା ମୁକୁଟ ପ୍ରସ୍ତୁତ କରାଯାଇଥିଲା । ଚଳିତବର୍ଷ ମଣ୍ଡପ ସମ୍ମୁଖରେ ବାରାଣସୀର ପ୍ରସିଦ୍ଧ ‘ସ୍ୱର୍ଗଦେବ ଧାମ ମନ୍ଦିର’ର ଢାଞ୍ଚାରେ ଚଳିତ ବର୍ଷ ତୋରଣ ନିର୍ମାଣ କରାଯାଇଛି । ଏହା ପୂଜାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ଚାରି ରାତି ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣର ବ୍ୟବସ୍ଥା ରହିଛି । ଭସାଣି ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳର ପାରମ୍ପରିକ ବାଦ୍ୟ, ଢୋଲ, ବାଜନୃତ୍ୟ ଓ ସିଂହବାଜି ପରିବେଷଣ ହେବ । ଏପରି କାର୍ଯ୍ୟକ୍ରମ କଟକ ଦୁର୍ଗାପୂଜାକୁ ଓଡ଼ିଶାର ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଏକ ମିଳନସ୍ଥଳୀରେ ପରିଣତ କରିଥାଏ ।

 

ଚାନ୍ଦିମେଢ଼ର ନଗରୀରେ ଐତିହ୍ୟର ବିସ୍ତାର

ଚୌଧୁରୀବଜାର ଓ ଶେଖବଜାରରୁ ଆରମ୍ଭ ହୋଇଥିବା ଚାନ୍ଦିମେଢ଼ ପରମ୍ପରା କାଳକ୍ରମେ ସହରର ବିଭିନ୍ନ ସାହିକୁ ବ୍ୟାପିଛି । ଶିଖରପୁର-ଗଣ୍ଡରପୁର, ବାଖରାବାଦ, ଛତ୍ରବଜାର, ରାଣୀହାଟ, ଖାନନଗର-ଖପୁରିଆ, କାଜୀବଜାର, ଫିରିଙ୍ଗିବଜାର, ନୟାସଡ଼କ, ଅଲିଶାବଜାର, ବାଲୁବଜାର-ବିନୋଦବିହାରୀ, କାଠଗଡ଼ାସାହି, ଗଣେଶଘାଟ, ଶଙ୍କରପୁର-ବାଦାମବାଡ଼ି, ଦରଘାବଜାର, ଗଙ୍ଗାମନ୍ଦିର, ମାଛୁଆବଜାର, ମଙ୍ଗଳାବାଗ, ପିଠାପୁର, ହରିପୁର-ଦୋଳମୁଣ୍ଡାଇ, ଚାନ୍ଦିନୀଚୌକ, ବୁଢ଼ୀ ଠାକୁରାଣୀ, ବିଡ଼ାନାସୀ, ତୁଳସୀପୁର ଓ ଖଟବିନ୍ ସାହି ଭଳି ଅନେକ ଅଞ୍ଚଳରେ ଚାନ୍ଦିମେଢ଼ର ଆକର୍ଷଣ ଦେଖିବାକୁ ମିଳେ । ଏହି ମେଢ଼ଗୁଡ଼ିକର ଓଜନ ଓ କାରୁକାର୍ଯ୍ୟରେ ଭିନ୍ନତା ରହିଥିଲେ ମଧ୍ୟ ସେମାନଙ୍କୁ ଯୋଡ଼ି ରଖିଛି ମା’ଙ୍କ ପ୍ରତି ଭକ୍ତି ଓ ପରମ୍ପରା ପ୍ରତି ନିଷ୍ଠା । କେତେକ ମେଢ଼ରେ ଦୁଇ କୁଇଣ୍ଟାଲରୁ ଅଧିକ ରୂପା ବ୍ୟବହାର ହୋଇଥିବା ବେଳେ ଅନ୍ୟ କେତେକରେ ତିନିରୁ ପାଞ୍ଚ କୁଇଣ୍ଟାଲ ପର୍ଯ୍ୟନ୍ତ ରୂପାର କାରୁକାର୍ଯ୍ୟ ରହିଛି ।

ରୂପାର ଏହି ମେଢ଼ଗୁଡ଼ିକ ଦଶହରା ସମୟରେ କଟକର ଶିଳ୍ପକଳା ଓ ପରମ୍ପରାକୁ ଏକ ଭିନ୍ନ ଉଚ୍ଚତାକୁ ନେଇଯାଆନ୍ତି । ପ୍ରତ୍ୟେକ ମେଢ଼ ପଛରେ ରହିଛି ଏକ ଇତିହାସ, ଏକ ସଂକଳ୍ପ ଏବଂ ସାହିବାସୀଙ୍କ ଅବଦାନର କାହାଣୀ ।

 

ପ୍ରସ୍ତୁତି: ପ୍ରଫୁଲ୍ଲ କୁମାର ମହାନ୍ତି

ସମୟ ପ୍ରତିନିଧି, କଟକ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।