ନୀତୀଶ କୁମାରଙ୍କ ପାଇଁ ‘୯ ଜଣଙ୍କୁ ହତ୍ୟା କରାଇଥିଲି’ କହି ବିବାଦରେ ଜେଡିୟୁ ବିଧାୟକ ଅନନ୍ତ ସିଂହ

Oct 17, 2026 - 15:33
ନୀତୀଶ କୁମାରଙ୍କ ପାଇଁ  ‘୯ ଜଣଙ୍କୁ ହତ୍ୟା କରାଇଥିଲି’  କହି ବିବାଦରେ ଜେଡିୟୁ ବିଧାୟକ ଅନନ୍ତ ସିଂହ

ନୂଆଦିଲ୍ଲୀ: ବିହାରରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଜନତା ଦଳ (ୟୁନାଇଟେଡ୍‌) ବା ଜେଡିୟୁ ବିଧାୟକ ଅନନ୍ତ କୁମାର ସିଂହ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସହଯୋଗ କରିବା ପାଇଁ ସେ ୯ ଜଣଙ୍କୁ ହତ୍ୟା କରାଇଥିଲେ। ତେବେ ପରେ ସେ ନିଜ ବୟାନ ବଦଳାଇ ଏହି ମୃତ୍ୟୁ ପାଇଁ ଲାଲୁ ପ୍ରସାଦ ଯାଦବଙ୍କ ସରକାରକୁ ଦାୟୀ କରିଛନ୍ତି। ଆଗାମୀ ବିହାର ବିଧାନ ପରିଷଦ ନିର୍ବାଚନରେ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ନୀରଜ କୁମାରଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ଅନନ୍ତ ସିଂହ ଅସନ୍ତୁଷ୍ଟ ଥିବା କୁହାଯାଉଛି। ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରିବା ସମୟରେ ସେ କହିଥିଲେ , ନୀତୀଶ କୁମାର ଓ ମୋର ସମ୍ପର୍କ ବହୁ ପୁରୁଣା। ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ୯ ଜଣଙ୍କୁ ହତ୍ୟା କରାଇଥିଲି। ସେ ରାଜନୈତିକ ଭାବେ ସଂଘର୍ଷ କରୁଥିବା ସମୟରେ ମୁଁ ତାଙ୍କ ସହ ଠିଆ ହୋଇଥିଲି। ଏହି ବୟାନ ପରେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଜନତା ଦଳ ଏହି ବୟାନକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛି। ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ, ଅନନ୍ତ ସିଂହଙ୍କ ବୟାନ ୯ ଜଣଙ୍କ ହତ୍ୟା ସମ୍ପର୍କରେ ଏକ ସ୍ୱୀକାରୋକ୍ତି ସଦୃଶ। ତାଙ୍କ ଅଭିଯୋଗ ଅନୁଯାୟୀ, ବିହାରରେ ନୀତୀଶ କୁମାରଙ୍କ ରାଜନୈତିକ ଶକ୍ତି ବିଭିନ୍ନ ଅଞ୍ଚଳର ଅପରାଧୀ ଗୋଷ୍ଠୀଙ୍କ ସହ ସମ୍ପର୍କ ରଖିବା ଦ୍ୱାରା ବଢ଼ିଥିଲା। ତେବେ ଅନନ୍ତ ସିଂହଙ୍କ ବୟାନଠାରୁ ଜେଡିୟୁ ନିଜକୁ ତୁରନ୍ତ ଦୂରେଇ ରଖିଛି। ଦଳର ଜାତୀୟ ମୁଖପାତ୍ର ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି ଯେ ଏପରି ବୟାନକୁ ଗୁରୁତ୍ୱ ଦେବା ଉଚିତ ନୁହେଁ। ସେ ନୀତୀଶ କୁମାରଙ୍କ ରାଜନୈତିକ ଜୀବନକୁ ସ୍ୱଚ୍ଛ ବୋଲି ବର୍ଣ୍ଣନା କରି ଅପରାଧୀଙ୍କ ସହ ସମ୍ପର୍କ କିମ୍ବା ହିଂସାରେ ଜଡ଼ିତ ଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ବିବାଦ ବଢ଼ିବା ପରେ ଅନନ୍ତ ସିଂହ ନିଜର ପୂର୍ବ ବୟାନକୁ ବଦଳାଇଥିଲେ। ସେ କହିଥିଲେ ଯେ, ଲାଲୁ ଯାଦବଙ୍କ ସରକାର ସମୟରେ ତାଙ୍କର ୯ ଜଣ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ଉପରେ ମଧ୍ୟ ଗୁଳି ଚଳାଯାଇଥିଲା। ତାଙ୍କ କହିବା ଅନୁଯାୟୀ, ସେମାନେ ନୀତୀଶ କୁମାରଙ୍କ ସହ ମିଶିଥିବାରୁ ଲାଲୁ ଯାଦବଙ୍କ ସରକାର ସମୟରେ ଏହି ଘଟଣା ଘଟିଥିଲା। ସେ ଆହୁରି କହିଥିଲେ ଯେ, ଏହି ସଂଘର୍ଷରେ ସେମାନେ ବହୁତ କ୍ଷତି ସହିଛନ୍ତି ଏବଂ ତାଙ୍କ ପିତାଙ୍କର ମଧ୍ୟ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ବିହାରରେ ନିର୍ବାଚନୀ ମାହୋଲ ମଧ୍ୟରେ ଏହି ବିବାଦ ସାମ୍ନାକୁ ଆସିଛି। ବିହାର ବିଧାନ ପରିଷଦର ୮ଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଅକ୍ଟୋବର ୨୩ରେ ହେବ। ଭୋଟ୍ ଗଣତି ଅକ୍ଟୋବର ୨୭ରେ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।