ଚିନ୍ମୟ ଚେତନା: ଜ୍ଞାନ ନୁହେଁ ଉପାଧି ଲୋଡ଼ା
ଚିନ୍ମୟ ହୋତା
ଗୋଟେ ସମୟ ଥିଲା ଯେତେବେଳେ ନିଜ ନାଁ ଆଗରେ ‘ଡକ୍ଟର’ ଶବ୍ଦଟି ଲଗାଇବାକୁ ହେଲେ ବହୁ ବିନିଦ୍ର ରଜନୀ ବିତାଇବାକୁ ପଡୁଥିଲା। ବର୍ଷ ପରେ ବର୍ଷ ପଢ଼ାଶୁଣା, ଗବେଷଣା, ପାଠାଗାରର ଧୂଳି ଖାଇବା, ଥିସିସ ଲେଖିବା, ଗାଇଡଙ୍କ ଉତ୍ତମ-ମଧ୍ୟମ ସହିବା: ଏସବୁ ପରେ ଯାଇ ଦିନେ ଗବେଷଣାର ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାମର ଆରମ୍ଭରେ ଯୋଡ଼ି ହେଉଥିଲା ସେହି ବହୁ ଆକାଂକ୍ଷିତ ଉପାଧି- ଡକ୍ଟର। ଗାଁ ସାହିର ଲୋକଙ୍କଠାରୁ ଆରମ୍ଭ କରି ଆତ୍ମୀୟସ୍ୱଜନ, ସମସ୍ତଙ୍କ ଆଖିରେ ରାତାରାତି ବଢ଼ି ଯାଉଥିଲା ତାଙ୍କର ମର୍ଯ୍ୟାଦା। ହଠାତ୍ ସେ ହୋଇ ଉଠୁଥିଲେ ଜ୍ଞାନବିଜ୍ଞାନର ଜଣେ ଚଳନ୍ତା ବିଶ୍ୱକୋଷ।
କିନ୍ତୁ ସେ ଥିଲା ଅତୀତର କଥା। ଏବେ ଡକ୍ଟରେଟର ବଜାରରେ ଏମିତି ଜୁଆର ଆସିଛି ଯେ, ଲାଗୁଛି ଜ୍ଞାନ ଅର୍ଜନ ନୁହେଁ, ଉପାଧି ଅର୍ଜନ ହିଁ ଶିକ୍ଷାର ଚୂଡ଼ାନ୍ତ ଲକ୍ଷ୍ୟ। ବିଶ୍ୱବିଦ୍ୟାଳୟରେ ବର୍ଷ ପରେ ବର୍ଷ ଗବେଷଣା କରିବାର ଧୈର୍ଯ୍ୟ କାହାର ବା ଅଛି? ତା’ଠାରୁ ସହଜ ପଥଟି ଖୋଲିଯାଇଛି ଏବେ। ଗଜୁରି ଉଠିଛନ୍ତି ଅନେକ ବିଚକ୍ଷଣ ସଂସ୍ଥା, ଯେଉଁମାନେ ନିର୍ଦ୍ଦିଷ୍ଟ ଅର୍ଥର ବିନିମୟରେ ଡକ୍ଟରେଟ ଭଳି ମହାର୍ଘ ଉପାଧି ପ୍ରଦାନ କରିବାକୁ କିମ୍ବା ଯୋଗାଡ଼ କରିଦେବାକୁ ପ୍ରସ୍ତୁତ। ଗବେଷଣାର ବିଷୟ, ଥିସିସର ମାନ, ମୌଳିକ ଚିନ୍ତନ, ଏ ସବୁ ନେଇ ମୁଣ୍ଡ ଖେଳେଇବାର ଆବଶ୍ୟକତା ନାହିଁ। ପକେଟରେ ପଇସା ଥିଲେ ଧଇଁସଇଁ ହୋଇ ଶିଡ଼ି ଚଢ଼ିବା ବଦଳରେ ଲିଫ୍ଟ ଚଢ଼ି ସିଧା ଶିଖରରେ ପହଞ୍ଚି ଯାଇହେବ।
ଅବଶ୍ୟ ଏହି ଲିଫ୍ଟ ଓ ବିଶ୍ୱବିଦ୍ୟାଳୟର ଲିଫ୍ଟ ଭିତରେ ତଫାତ ରହିଛି। ବିଶ୍ୱବିଦ୍ୟାଳୟର ଲିଫ୍ଟ ମଝିରେ ମଝିରେ ଖରାପ ହୋଇଯାଏ, କିନ୍ତୁ ଏଇ ଡକ୍ଟରେଟର ଲିଫ୍ଟ ସର୍ବଦା ସଚଳ। ଟଙ୍କା ଜମା କରନ୍ତୁ, ଆବେଦନପତ୍ର ପୂରଣ କରନ୍ତୁ, ଏସବୁ ସାଙ୍ଗରେ ଆପଣଙ୍କ ଫଟୋ ଓ ଏକ ସଂକ୍ଷିପ୍ତ ଜୀବନୀ ଦାଖଲ କରିଦେଲେ କାମ ଶେଷ। କିଛି ଦିନ ଭିତରେ ଆପଣ ହୋଇଯିବେ ‘ଡକ୍ଟର’।
ଏକ ସମୟରେ ମଣିଷ ଡିଗ୍ରି ଅର୍ଜନ କରି ନିଜର ଯୋଗ୍ୟତା ପ୍ରମାଣ କରୁଥିଲା, ଏବେ ଅନେକେ ଡିଗ୍ରି ଅର୍ଜନ କରନ୍ତି ନିଜର ଯୋଗ୍ୟତା ସମ୍ପର୍କରେ ସମାଜକୁ ବିଭ୍ରାନ୍ତ କରିବାକୁ। ନାମ ଆଗରେ ‘ଡାକ୍ତର’ ବସାଇ ଭିଜିଟିଙ୍ଗ କାର୍ଡ ଛପା ହୁଏ, ଘର ସାମନାରେ ନେମପ୍ଲେଟ ଲଗାହୁଏ, ଫେସବୁକରେ ପ୍ରଫାଇଲ ଅପଡେଟ କରାଯାଏ। ଆତ୍ମୀୟମାନଙ୍କ ହ୍ବାଟ୍ସଆପ ଗ୍ରୁପରେ ଖବରଟି ଏମିତି ଦ୍ରୁତ ଗତିରେ ପହଞ୍ଚିଯାଏ, ଯେମିତି ଏ ବର୍ଷର ନୋବେଲ ପୁରସ୍କାରଟି ସଦ୍ୟ ହାତକୁ ଆସିଯାଇଛି।
ତେବେ ଏଇ ଉପାଧିର ସବୁଠୁ ବଡ଼ ସୁବିଧାଟି ହେଲା, ଆପଣଙ୍କୁ ଆଗକୁ ଆଉ ବିଶେଷ କିଛି ଜାଣିବାକୁ ପଡ଼ିବ ନାହିଁ। ଆପଣଙ୍କ ନାମ ପୂର୍ବରୁ ‘ଡକ୍ଟର’ ଦେଖିଲା ମାତ୍ରେ ଅନେକେ ଧରି ନେବେ ଆପଣଙ୍କ ଜ୍ଞାନର ଗଭୀରତା ପ୍ରଶାନ୍ତ ମହାସାଗର ଭଳି। ଆପଣ ଯଦି କୌଣସି ଆଲୋଚନା ବେଳେ ଜଟିଳ ପ୍ରଶ୍ନର ଉତ୍ତର ଦେଇ ପାରୁନାହାନ୍ତି, ଆପଣ ନିର୍ବିଘ୍ନରେ କହି ପାରିବେ, “ଏ ବିଷୟରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଅବସୋସର କଥା, ନୂଆ ପିଢ଼ିର ଗବେଷକମାନେ ଏ ବିଷୟଟିକୁ ଗୁରୁତ୍ୱ ଦେଉ ନାହାନ୍ତି।” ଆଉ କେହି ଯଦି ଆପଣଙ୍କ ଗବେଷଣା ବିଷୟରେ ବିଶେଷ ଜାଣିବାକୁ ଚାହାନ୍ତି, ତେବେ ଆପଣ ଏମିତି ଦୁର୍ବୋଧ୍ୟ ନାମ ଓ ଶବ୍ଦ ସବୁ କହିବା ଆରମ୍ଭ କରିଦେବେ ଯେ ପ୍ରଶ୍ନକର୍ତ୍ତା ନିଜର ଅଜ୍ଞତା ଯୋଗୁଁ ଲଜ୍ଜିତ ହୋଇ ଆଉ ଦ୍ବିତୀୟ ପ୍ରଶ୍ନ କରିବେ ନାହିଁ।
ଅବଶ୍ୟ ପ୍ରକୃତ ଗବେଷକଙ୍କ କଥା ଅଲଗା। ସେମାନେ ଜାଣନ୍ତି ଯେ ଗୋଟିଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଆହୁରି ଦଶଟି ପ୍ରଶ୍ନର ମୁହାଁମୁହିଁ ହେବାକୁ ପଡ଼େ। ଗବେଷଣା ମାନେ ତ କେବଳ ତଥ୍ୟ ସଂଗ୍ରହ କରିବା ନୁହେଁ, ବରଂ ପ୍ରଚଳିତ ଧାରଣାକୁ ମଧ୍ୟ ଯାଞ୍ଚ କରିବା, ଭୁଲ୍ ସ୍ୱୀକାର କରିବା ଓ ନୂତନ ସତ୍ୟର ସନ୍ଧାନରେ ଅନିଶ୍ଚୟତାର ସହ ଅଧ୍ୟବସାୟ କରିଚାଲିବା। ସେମାନଙ୍କ ଡକ୍ଟରେଟ ପଛରେ ଥାଏ ପରିଶ୍ରମ, ନିଷ୍ଠା ଓ ବହୁ ବର୍ଷର ମାନସିକ ସଂଗ୍ରାମ। ଅଥଚ ବଜାରରେ ଉପଲବ୍ଧ ଡିଗ୍ରି କାରଣରୁ ଏହି କଠିନ ଅଧ୍ୟବସାୟଟି ଆଜି ସନ୍ଦେହର ବଳୟ ଭିତରେ ପଡ଼ିଯାଇଛି।
ଏହା ହିଁ ବିପଦ। ନକଲି କିମ୍ବା ଅସ୍ୱୀକୃତ ସଂସ୍ଥା ପ୍ରଦାନ କରୁଥିବା ଡିଗ୍ରି ଓ ସ୍ୱୀକୃତ ବିଶ୍ୱବିଦ୍ୟାଳୟର ଗବେଷଣାଭିତ୍ତିକ ଡକ୍ଟରେଟ ଏକ ପ୍ରକାରର ଜିନିଷ ନୁହେଁ। କିନ୍ତୁ ସାଧାରଣ ମଣିଷ କାହାର ନାମ ପୂର୍ବରୁ ଥିବା ସେହି ଏକା ‘ଡକ୍ଟର’ ଶବ୍ଦର ପାର୍ଥକ୍ୟଟି ବୁଝିବ ବା କିପରି? ଫଳରେ ପ୍ରକୃତ ଗବେଷକଙ୍କ ସମ୍ମାନ ମଧ୍ୟ କେବେ କେବେ ଏସବୁ ଶସ୍ତା ଉପାଧିର ଭିଡ଼ ଭିତରେ ମ୍ଳାନ ହୋଇଯାଏ। ଆଉ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ନିକଟରେ ପ୍ରଶ୍ନ ଉଠେ- ଯେଉଁ ସମାଜରେ ଉପାଧିର ମୂଲ୍ୟ ଜ୍ଞାନ ଅପେକ୍ଷା ଅଧିକ ବୋଲି ବିଚାର କରାଯାଏ, ସେଠାରେ ଗବେଷଣାର ଭବିଷ୍ୟତ କେତେ ଉଜ୍ଜ୍ବଳ?
ପୂର୍ବେ କୁହାଯାଉଥିଲା, “ବିଦ୍ୟା ଦଦାତି ବିନୟଂ”, ଅର୍ଥାତ୍ ବିଦ୍ୟା ମଣିଷକୁ ବିନୟୀ କରି ତୋଳେ। ଆଜିକାଲି କିନ୍ତୁ ମନେ ହୁଏ ବିଦ୍ୟା ଥାଉ କି ନଥାଉ, ଡକ୍ଟରେଟ ମଣିଷକୁ ଆତ୍ମବିଶ୍ବାସୀ କରି ତୋଳେ। ବିଶେଷତଃ ଏମିତି ଆତ୍ମବିଶ୍ୱାସ, ଯାହା ଜଣକର ଅଜ୍ଞତାକୁ ମଧ୍ୟ ଜ୍ଞାନର ଶିଖର ବୋଲି ଧାରଣା ସୃଷ୍ଟି କରିପକାଏ।
ତେବେ ଭବିଷ୍ୟତରେ ହେବ କ’ଣ? ଦିନେ ହୁଏତ ବଜାରରେ ଏମିତି ପ୍ୟାକେଜ ମଧ୍ୟ ମିଳିବ- ସାଧାରଣ ଡକ୍ଟରେଟ, ପ୍ରିମିୟମ ଡକ୍ଟରେଟ, ଆଉ ବିଶେଷ ରିହାତିଯୁକ୍ତ ଆନ୍ତର୍ଜାତିକ ଡକ୍ଟରେଟ।
ମଧ୍ୟଯୁଗୀୟ ଇଉରୋପରେ ଯେଉଁମାନେ ଦର୍ଶନ ଓ ଜ୍ଞାନ କ୍ଷେତ୍ରରେ ଗଭୀର ସତ୍ୟର ସନ୍ଧାନ କରିବାରେ ବ୍ରତୀ ଥିଲେ, ସେମାନଙ୍କୁ ପିଏଚଡି ଅର୍ଥାତ୍ ଡକ୍ଟର ଅଫ ଫିଲୋେସାଫି କୁହାଯାଉଥିଲା। କିନ୍ତୁ ଆଜି ଅନେକେ ଜ୍ଞାନଠାରୁ ବହୁତ ଦୂରରେ ଥାଇ ବି ସେହି ଉପାଧି ସହଜରେ ହାସଲ କରିନେଉଛନ୍ତି। ଏ ଅବସ୍ଥା ଜାରି ରହିଲେ ଦିନେ ପ୍ରକୃତ ଜ୍ଞାନୀମାନେ ନିଜର ପରିଚୟ ଦେବାକୁ ଲଜ୍ଜା କରିବେ, ଆଉ ଡକ୍ଟରେଟ ମୁକୁଟ ପିନ୍ଧିଥିବା ଅଜ୍ଞମାନେ ଜ୍ଞାନବିଜ୍ଞାନର ସଭା ମଣ୍ଡନ କରିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।