ଜମ୍ମୁ-କାଶ୍ମୀରରେ ଗାଡ଼ି ଭିତରୁ ୨ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Sep 23, 2026 - 15:48
ଜମ୍ମୁ-କାଶ୍ମୀରରେ ଗାଡ଼ି ଭିତରୁ ୨ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ରାମବନ: ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ କଡ଼ରେ ଠିଆ ହୋଇଥିବା ଏକ କାର୍ ଭିତରୁ ୨ ଜଣ ପୁଲିସ କର୍ମଚାରୀଙ୍କ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ପୁଲିସ କର୍ମଚାରୀ ଦ୍ୱୟ ହେଲେ ହେଡ୍ କନଷ୍ଟେବଳ ଫରିଦ ଅହମ୍ମଦ ଓ ସିଲେକ୍ସନ ଗ୍ରେଡ୍ କନଷ୍ଟେବଳ ମହମ୍ମଦ ୟାକୁବ। ଉଭୟ ରାମବନ ଜିଲ୍ଲା ପୁଲିସ ଲାଇନ୍ସରେ କାର୍ଯ୍ୟରତ ଥିଲେ। ତେବେ ସେମାନଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାମବନ ଜିଲ୍ଲା ବାଟୋଟେ ଅନ୍ତର୍ଗତ ସାନା ଅଞ୍ଚଳର ଜିୟାରତ ମୋଡ଼ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ଜେକେ୧୯ ୫୨୯୯ ନମ୍ବରର ଏକ କାର୍ ଭିତରେ ଦୁଇ ଜଣ ପୁଲିସ କର୍ମଚାରୀ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ରାମବନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରୀ ଟିମ୍ ଦ୍ୱାରା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ଅନ୍ୟପଟେ, କେଉଁ ପରିସ୍ଥିତିରେ ଦୁଇ ପୁଲିସ କର୍ମଚାରୀଙ୍କ ପ୍ରାଣହାନି ଘଟିଲା, ସେ ନେଇ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।