ଜେଲ ଗଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ

Sep 21, 2026 - 15:53
ଜେଲ ଗଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ

ଚୌଦ୍ୱାର : ବିହାରୀ କଏଦୀ ଫେରାର ମାମଲା । ଚୌଦ୍ୱାର ପୋଲିସ ର ବଡ଼ ଆକ୍ସନ । ଗିରଫ ହୋଇ ଜେଲ ଗଲେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ । ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ । ରାତି ୨ଟାରେ ସୁଜିତ କୁମାର ରାଉଳଙ୍କୁ ଚୌଦ୍ୱାର ଜେଲ୍ ଅଣାଯାଇଥିଲା ।

ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ ବୁକ୍ ଜାଲିଆତି ଘଟଣା ନେଇ ଗିରଫ ହୋଇଥିଲେ ଜେଲ୍ ଅଧୀକ୍ଷକ । ହାଇକୋର୍ଟରେ ମଧ୍ୟ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ତଙ୍କର ଆଗୁଆ ଜାମିନ ଖାରଜ କରିଥିଲେ । 

ଗତ ଜାନୁଆରୀ ମାସରେ ତାଙ୍କ ବିରୁଦ୍ଧରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର ସନ୍ତୋଷୀନି ଦାସ । ଚୌଦ୍ଵାର ଜେଲରୁ ଦୁଇ ଅପରାଧୀ ଫେରାର ହେବା ପରେ ମୁଣ୍ଡ ଟେକି ଥିଲା ବିବାଦ ।

ସୂଚନାନୁସାରେ,୨୦୨୫ ମସିହା ଜାନୁଆରୀ ମାସ ଚାରି ତାରିଖ ଦିନ ଏକ ସୁନା ଦୋକାନରୁ ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଥିଲା ।  ଚାରି ବିହାରୀ ଅପରାଧିଙ୍କ ଲୁଟ ଉଦ୍ୟମକୁ ବିଫଳ କରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ଠାରୁ ବର୍ତ୍ତିବା ପାଇଁ ଅପରାଧି ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କ ଜୀବନ ନେଇଥିଲେ । ନୀଳମାଧବ ପଣ୍ଡା ଓ ଅନିଲ ରାୟ ଦୁଇ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ଦୁଇ ଅପରାଧୀ । ଲୋକଙ୍କ କବଳରୁ ପୋଲିସ ଅପରାଧିଙ୍କୁ ମୁକୁଳାଇ ଗିରଫ କରି ଜେଲ୍ ପଠାଇଥିଲା । 

୨୦୨୫ ଅକ୍ଟୋବର ୨ ତାରିଖରେ ଦୁର୍ଗାପୂଜା ଚାଲିଥିବା ସମୟରେ ଚୌଦ୍ୱାର ହାଇସିକ୍ୟୁରିଟି ଜେଲ୍‌ରୁ ଦୁଇ ବିଚାରାଧୀନ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ । ଏନେଇ ସାରା ରଜ୍ୟରେ ଚୌଦ୍ୱାର ହାଇସିକ୍ୟୁରିଟି ଜେଲକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

ମିଳିଥିବା ସୂଚନା ଅନୁସାରେ, ଦୁଇ ବିଚାରାଧୀନ ବିହାରୀ କଏଦୀ ସେଲ୍‌ର ଲୁହା ରଡ୍ କାଟିବା ପରେ ଜେଲ୍‌ର ଦୁଇଟି କାନ୍ଥ ଡେଇଁ ଫେରାର ହୋଇଥିଲେ । ସେମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିଲା । ଏପରିକି ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କର ବଦଳି ହୋଇଥିଲା ।

ଏହାପରେ ସେ ସୁଜିତ କୁମାର ରାଉଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସନ୍ତୋଷିନୀଙ୍କ ଅଭିଯୋଗ କରିଥିଲେ ଯେ, ଜେଲ୍‌ରୁ କଏଦୀ ଫେରାର ହେବା ପରେ ତାଙ୍କ ଦସ୍ତଖତକୁ ମିନିଟ୍ ବୁକ୍‌ରେ କଥିତ ଭାବେ ଜାଲ୍ କରାଯାଇଥିଲା । ଏହାସହ ଅକ୍ଟୋବର ୧, ୨ ଓ ୩ ତାରିଖର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟରରେ ମଧ୍ୟ ହେରଫେର କରାଯାଇଥିବାର ସେ ଅଭିଯୋଗ କରିଥିଲେ । ସେ ଦାବି କରିଥିଲେ ଯେ, ରେକର୍ଡରେ ଏଭଳି ହେରଫେର କରି ଦାୟିତ୍ୱ ଅନ୍ୟ ଜଣଙ୍କ ଉପରେ ଠେଲିବାକୁ ଚେଷ୍ଟା କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ପରବର୍ତ୍ତୀ ସମୟରେ ମାମଲା ଆଉ ଜଟିଳ ହୋଇଥିଲା । ତଦନ୍ତକାରୀ ଅଧିକାରୀ ଚୌଦ୍ୱାର ଜେଲ୍‌ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ମିନିଟ୍ ବୁକ୍‌ ଦାଖଲ ପାଇଁ ଏକାଧିକ ଥର ନୋଟିସ୍‌ ଓ ରିମାଇଣ୍ଡର ଦେଇଥିବା କୋର୍ଟ ରେକର୍ଡରୁ ଜଣାପଡ଼ିଛି। ତଦନ୍ତ ପାଇଁ ଏହି ମିନିଟ୍ ବୁକ୍‌କୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ବୋଲି ଦର୍ଶାଯାଇଥିଲା ।

ମାମଲାରେ ଗିରଫ ଏଡ଼ାଇବା ପାଇଁ ସୁଜିତ କୁମାର ରାଉଳ ଆଗୁଆ ଜାମିନ ଆବେଦନ କରିଥିଲେ । ମାର୍ଚ୍ଚ ୨୩ ରେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ମେ’ ମାସରେ ତଦନ୍ତରେ ସହଯୋଗ ଏବଂ ଆବଶ୍ୟକ ଦସ୍ତାବିଜ୍‌ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପରେ ଅଗଷ୍ଟ ୨୯ରେ ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠ ଆଗୁଆ ଜାମିନ ଆବେଦନ ଖାରଜ କରି ଅନ୍ତରୀଣ ସୁରକ୍ଷା ହଟାଇଥିଲେ । କୋର୍ଟ ରେକର୍ଡରେ ମିନିଟ୍ ବୁକ୍‌ ଉପଲବ୍ଧ ନଥିବା ଏବଂ ତାହାକୁ ନେଇ ଭିନ୍ନ ଭିନ୍ନ ମତ ଦିଆଯାଇଥିବା ବିଷୟ ମଧ୍ୟ ଉଲ୍ଲେଖ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।