ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ,୫ ଖେଳାଳିଙ୍କ ଭୁଲ ପାଇଁ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଭାରତ
ପ୍ରଥମ ତିନୋଟି ମ୍ୟାଚ୍ରେ ଦମଦାର ବିଜୟ, ଆଉ ଚତୁର୍ଥ ମ୍ୟାଚ୍ରେ ସବୁକିଛି ଓଲଟପାଲଟ! ଯେଉଁ ଦଳ ନ୍ୟୁଜିଲାଣ୍ଡକୁ ଲଗାତାର ଧୂଳି ଚଟାଉଥିଲା, ସେହି ଦଳ ଆଜି ନିଜେ ନିଜର ପରାଜୟର କାହାଣୀ ଲେଖିଲା । ବୋଲରଙ୍କ ବଲ୍ରେ ନଥିଲା ଧାର, ବ୍ୟାଟରଙ୍କ ବ୍ୟାଟ୍ରେ ନଥିଲା ଦମ୍ । ଫିଲ୍ଡିଂରେ ମଧ୍ୟ ହେଲା ବଡ଼ ଭୁଲ୍ । ମାତ୍ର କିଛି ଓଭର ଭିତରେ ଦଳର ବିଜୟ ଆଶା ଧୂଳିସାତ୍ ହୋଇଗଲା । ତେବେ କିଏ ସାଜିଲା ଏହି ପରାଜୟର ସବୁଠାରୁ ବଡ଼ ଖଳନାୟକ? କାହିଁକି ଚାମ୍ପିଅନ୍ ଦଳକୁ ଏଭଳି ଲଜ୍ଜାଜନକ ପରାଜୟ ମିଳିଲା । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
କ୍ରମାଗତ ତିନୋଟି ବିଜୟ ପରେ ହଠାତ୍ ବଦଳିଗଲା ଟିମ୍ ଇଣ୍ଡିଆର ଭାଗ୍ୟ । ଯେଉଁ ଦଳ ପ୍ରଥମ ତିନୋଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିଲା, ସେହି ଦଳ ଚତୁର୍ଥ ଟି-୨୦ରେ ନିଜେ ନିଜର ପରାଜୟର କାରଣ ପାଲଟିଗଲା । ବ୍ୟାଟିଂ ହେଉ କି ବୋଲିଂ, ଫିଲ୍ଡିଂ ହେଉ କି ରଣନୀତି, ସବୁଠି ଦେଖିବାକୁ ମିଳିଲା ନିରାଶାଜନକ ପ୍ରଦର୍ଶନ ।
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତକୁ ମିଳିଛି ଏକ ବଡ଼ ଝଟକା। ୨୫୯ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ଚାପରେ ଭାଙ୍ଗିପଡ଼ିଥିଲା । ଯାହା ଫଳରେ ଦଳକୁ ଏକ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରିଥିଲା । ବିଶେଷ କରି ଗ୍ଲେନ୍ ଫିଲିପ୍ସଙ୍କ ବ୍ୟାଟ୍ରୁ ଆସିଥିଲା ଧୂଆଁଧାର ଶତକ। ମାତ୍ର ୪୯ଟି ବଲ୍ରୁ ୧୦୭ ରନ୍ର ଇନିଂସ ଖେଳି ସେ ଭାରତୀୟ ବୋଲରଙ୍କୁ ନିରୁତ୍ତର କରିଦେଇଥିଲେ। ତାଙ୍କ ସହ ମାଇକେଲ୍ ବ୍ରେସୱେଲ୍ ମଧ୍ୟ ଦ୍ରୁତ ରନ୍ ସଂଗ୍ରହ କରି ଭାରତର ସମସ୍ୟା ବଢ଼ାଇଥିଲେ ।
ଫଳରେ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ମୟଙ୍କ ଯାଦବ ୪ ଓଭରରେ ୪୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ ୩୮ ରନ୍ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ। ପ୍ରିନ୍ସ ଯାଦବ ମଧ୍ୟ ପ୍ରାୟ ୫୦ ରନ୍ ବ୍ୟୟ କରିଥିଲେ। କିନ୍ତୁ ନୀତୀଶ କୁମାର ରେଡ୍ଡୀଙ୍କ ବୋଲିଂ ଭାରତ ପାଇଁ ଆହୁରି ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସେ ୪ ଓଭରରେ ୬୪ ରନ୍ ଦେଇଥିବା ବେଳେ ଅକ୍ଷର ପଟେଲ ମଧ୍ୟ ୩ ଓଭରରେ ୪୩ ରନ୍ କରିଥିଲେ। ଏପରିକି ଫିଲ୍ଡିଂରେ ମଧ୍ୟ ଭାରତ ଏକ ସୁଯୋଗ ହାତଛଡ଼ା କରିଥିଲା। ଗ୍ଲେନ୍ ଫିଲିପ୍ସ ୫୫ ରନ୍ରେ ଥିବାବେଳେ ତାଙ୍କର ଏକ କ୍ୟାଚ୍ ହାତଛଡ଼ା ହୋଇଥିଲା। ଏହା ଭାରତକୁ କେତେ ମହଙ୍ଗା ପଡ଼ିଲା, ତାହା ପରବର୍ତ୍ତୀ ଇନିଂସରୁ ସ୍ପଷ୍ଟ ହୋଇଥିଲା। ଏବେ ଆସନ୍ତୁ ଭାରତୀୟ ବ୍ୟାଟିଂ ଉପରେ ନଜର ପକାଇବା। ୨୬୦ ରନ୍ର ବିଶାଳ ଲକ୍ଷ୍ୟ ଥିବାବେଳେ ଭାରତୀୟ ଟପ୍ ଅର୍ଡର ଆରମ୍ଭରୁ ହିଁ ବିଫଳ ହୋଇଥିଲା । ସଞ୍ଜୁ ସାମସନ୍ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଇଶାନ କିଶନ ମାତ୍ର ୨ଟି ବଲ୍ରୁ ୪ ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୧୫ଟି ବଲ୍ରୁ ୨୭ ରନ୍ କରିଥିଲେ ମଧ୍ୟ ନିଜ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଅଧିନାୟକ ଶ୍ରେୟସ ଆୟର ମଧ୍ୟ ୧୧ଟି ବଲ୍ରୁ ୨୨ ରନ୍ କରି ପାଭିଲିୟନ୍ ଫେରିଥିଲେ । ଫଳରେ ମାତ୍ର ୫୬ ରନ୍ ମଧ୍ୟରେ ଭାରତର ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ପତନ ଘଟିଥିଲା। ଏହାପରେ ମ୍ୟାଚ୍କୁ ଫେରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା । ବାକି ବ୍ୟାଟରମାନେ ଚେଷ୍ଟା କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଯେଉଁ ଦଳଠାରୁ ଏକ ବଡ଼ ରନ୍ ଚେଜ୍ର ଆଶା ରହିଥିଲା, ସେହି ଦଳ ଆଜି ନିଜର ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ନିରାଶ କରିଥିଲା । ଏହି ପରାଜୟ ପାଇଁ କେବଳ ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କୁ ଦୋଷ ଦେଇ ହେବନାହିଁ । ବୋଲରଙ୍କ ଅତିରିକ୍ତ ରନ୍ କରିବା, ବ୍ୟାଟରଙ୍କ ଦାୟିତ୍ୱହୀନ ସଟ୍ ଚୟନ, ଫିଲ୍ଡିଂରେ ତ୍ରୁଟି ଏବଂ ଦଳର ରଣନୀତି ଉପରେ ଏବେ ପ୍ରଶ୍ନ ଉଠିଛି । ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆଠାରୁ ଏଭଳି ପ୍ରଦର୍ଶନ ଆଦୌ ଆଶା କରାଯାଉନଥିଲା। ମ୍ୟାଚ୍ ହାରିବା ଖେଳର ଏକ ଅଂଶ, କିନ୍ତୁ ଲଢ଼େଇ ନକରି ହାରିବା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ ନିରାଶ କରିବ । ତେବେ ଏହି ପରାଜୟ ପାଇଁ ପ୍ରକୃତରେ ଦାୟୀ କିଏ? ଭାରତୀୟ ବୋଲର, ବ୍ୟାଟର ନା ଦଳର ରଣନୀତି? ଏହି ପରାଜୟ ପରେ ଗୌତମ ଗମ୍ଭୀରଙ୍କ ଟିମ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏବେ ଦେଖିବାକୁ ବାକି ରହିଲା, ଆଗାମୀ ମ୍ୟାଚ୍ରେ ଟିମ୍ ଇଣ୍ଡିଆ କିପରି ପ୍ରତ୍ୟାବର୍ତ୍ତନ କରୁଛି ।
ଏହି ୩ ଖେଳାଳୀଙ୍କ ପାଇଁ ହାରିବ ଟିମ ଇଣ୍ଡିଆ!
.jpeg)
.jpeg)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।