ଦିଲ୍ଲୀ-ଏନସିଆରରେ ବିନା ପିୟୁସିରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜି ମନା

Oct 01, 2026 - 16:42
ଦିଲ୍ଲୀ-ଏନସିଆରରେ ବିନା ପିୟୁସିରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜି ମନା

ନୂଆଦିଲ୍ଲୀ: ଅକ୍ଟୋବର ୧ ଠାରୁ ରାଜଧାନୀ ଦିଲ୍ଲୀ ଏବଂ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କଠୋର ନିୟମ ଲାଗୁ କରାଯାଇଛି। ଏବେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ବିନା କୌଣସି ଯାନକୁ ପେଟ୍ରୋଲ, ଡିଜେଲ କିମ୍ବା ସିଏନ୍‌ଜି ଯୋଗାଇ ଦିଆଯିବ ନାହିଁ। ଶୀତ ଋତୁ ପୂର୍ବରୁ ବଢୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ବାୟୁ ଗୁଣବତ୍ତା ପରିଚାଳନା କମିସନର ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ସମସ୍ତ କାର୍ଯ୍ୟକାରୀ ଏଜେନ୍ସିଗୁଡ଼ିକୁ ସମଗ୍ର ଏନ୍‌ସିଆରରେ ଏକକାଳୀନ ଏହି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପେଟ୍ରୋଲ ପମ୍ପଗୁଡ଼ିକରେ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ଏଏନପିଆର) କ୍ୟାମେରା ଏବଂ ଏଏନପିଆର ମୋବାଇଲ୍ ଆପ୍ ବ୍ୟବହାର କରାଯାଉଛି। ଦିଲ୍ଲୀର ପ୍ରାୟ ୫୦୦ ପେଟ୍ରୋଲ ପମ୍ପରେ ଏଏନପିଆର କ୍ୟାମେରା ଲଗାଯାଇଛି ଏବଂ ସିଧାସଳଖ ବାହନ ପୋର୍ଟାଲ୍ ସହିତ ସଂଯୋଗ କରାଯାଇଛି।ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଏହି ସିଷ୍ଟମର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାର ୩୩୪ଟି ଏନଫୋର୍ସମେଣ୍ଟ ଦଳ ନିୟୋଜିତ କରିଛନ୍ତି ଏବଂ ଏକ ଏଆଇ-ଭିତ୍ତିକ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରକୁ ସକ୍ରିୟ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।