ଦୀପାବଳିରେ ନାହିଁ ବର୍ଷା ଭୟ, ୫ଦିନ ଯାଏଁ ଶୁଖିଲା ରହିବ ପାଗ
ଭୁବନେଶ୍ୱର : ଦୀପାବଳିରେ ନାହିଁ ବର୍ଷା ଆଶଙ୍କା । ଆନନ୍ଦ ରେ ଆଲୋକ ର ଉତ୍ସବ ପାଳନ କରିବେ ଲୋକେ । ଆଗାମୀ ୫ ଦିନ ଯାଏଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ନପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଆଗାମୀ ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେବ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ କେନ୍ଦ୍ରାପଡ଼ା, କେନ୍ଦୁଝର ଓ ବାଲେଶ୍ୱର ସମେତ କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଅନ୍ୟପଟେ, ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିବା ଆଶଙ୍କା ରହିଛି । ଏହା ସହ ପାଣିପାଗ ପରିସ୍ଥିତି ଅନୁକୂଳ ନ ରହିଲେ ବାୟୁର ଗୁଣବତ୍ତା ବା AQI ଅତ୍ୟଧିକ ଖରାପ ହୋଇପାରେ । ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ କମ୍ ବାଣ ଫୁଟାଇ ପ୍ରଦୂଷଣ ନିୟନ୍ତ୍ରଣରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ଏପଟେ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ସିଷ୍ଟମ ସୃଷ୍ଟି ହେବାକୁ ଯାଉଛି । ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ନଭେମ୍ବର ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବାର ଆକଳନ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।