ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କୁ ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯିବ କି ? ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, OBC/SEBC ସଂରକ୍ଷଣ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି ।
ସୁପ୍ରିମକୋର୍ଟଙ୍କ 'କେ. କୃଷ୍ଣମୂର୍ତ୍ତି' ମାମଲାର 'ଟ୍ରିପଲ୍-ଟେଷ୍ଟ' (Triple-Test) ନିର୍ଦ୍ଦେଶ ଏବଂ ୨୦୧୬ରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ କାରଣରୁ ଏହି ବର୍ଗର ସଂରକ୍ଷଣ ପରିମାଣ ପ୍ରଭାବିତ ହୋଇଛି। ‘କେ. କ୍ରିଷ୍ଣମୂର୍ତ୍ତି’ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୧ରେ ସମ୍ପୃକ୍ତ ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ଅନୁସାରେ SC, ST ଓ OBCଙ୍କ ମୋଟ ସଂରକ୍ଷଣ ୫୦% ମଧ୍ୟରେ ସୀମିତ ରଖାଯାଇଥିଲା । ଏହାର ପ୍ରଭାବରେ ପୂର୍ବରୁ OBC/SEBC ବର୍ଗଙ୍କ ପାଇଁ ଥିବା ୨୭% ସଂରକ୍ଷଣ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା ।
ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ SC, ST ଏବଂ OBC ସମୁଦାୟଙ୍କୁ ମିଶାଇ ସିଟ୍ ସଂରକ୍ଷଣ ସୀମା ୫୦ ପ୍ରତିଶତ ଅତିକ୍ରମ କରିପାରିବ ନାହିଁ। ସରକାର ୨୦୨୧ ମସିହାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ସମେତ ସଂପୃକ୍ତ ଆଇନଗୁଡ଼ିକରେ ସଂଶୋଧନ କରି ସଂରକ୍ଷଣର ସର୍ବୋଚ୍ଚ ସୀମାକୁ ୫୦% ମଧ୍ୟରେ ସୀମିତ ରଖିଛନ୍ତି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ସଂରକ୍ଷଣ ମିଳିବ କି ନାହିଁ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ଟ୍ରିପଲ ଟେଷ୍ଟ ନିର୍ଦ୍ଦେଶକୁ ବିଚାରକୁ ନେଇ ସରକାର ଏହି ପ୍ରସଙ୍ଗରେ ବିଚାର କରୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।