ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡି ୨୯ ମୃତ
ରାଓଲପିଣ୍ଡି : ପାକିସ୍ତାନର ପେଶାୱର ସହରରେ ଏକ ବେସରକାରୀ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବା ଫଳରେ ,୨୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୮ ଜଣ ଛାତ୍ରଛାତ୍ରୀଙ୍କ ସହିତ ଜଣେ ଶିକ୍ଷୟିତ୍ରୀ ସାମିଲ ଅଛନ୍ତି ।
ଖାଇବର ପାଖ୍ତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରର ଦୀର କଲୋନୀ ଅଞ୍ଚଳରେ ଅବସ୍ଥିତ 'ଅଲ-ଖୈର ଏଜୁକେସନ ସେଣ୍ଟର' ନାମକ ଏକ ବେସରକାରୀ ସ୍କୁଲରେ ଏହି ଦୁର୍ଘଟଣା ଘଟିଛି । ପ୍ରାଣ ହରାଇଥିବା ସମସ୍ତ ପିଲାଙ୍କ ବୟସ ୧୩ ବର୍ଷ ରୁ କମ୍ ବୋଲି ଜଣାପଡ଼ିଛି । ଏହାଛଡ଼ା ୪୦ରୁ ଅଧିକ ପିଲା ଆହତ ହୋଇଥିବା ସୂଚନା ମିଳିଛି ।ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରୀଡିଂ ହସ୍ପିଟାଲରେ (LRH) ଭର୍ତ୍ତି କରାଯାଇଛି ।
ଅଘଟଣ ପରେ ପୋଲିସ ପ୍ରଶାସନ ପକ୍ଷରୁ ସ୍କୁଲର ମାଲିକଙ୍କୁ ଗିରଫ କରାଯାଇଛି ଏବଂ ବିଲଡିଂର ନିର୍ମାଣ ଶୈଳୀ ଦୁର୍ବଳ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଃଖଦ ଘଟଣାରେ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଶୋକ ପ୍ରକାଶ କରିବା ସହ ପିଡୀତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।