ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ

Sep 25, 2026 - 11:40
ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ

ଭୁବନେଶ୍ୱର : ପୁରୀରେ ନିର୍ମାଣ ହେବାକୁ ଯାଉଛି ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ପୁରୀ ଜିଲ୍ଲାର ସିପସରୁବାଲି ମୌଜାରେ, ପ୍ରସ୍ତାବିତ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହି ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ରହିଛି ।ଏହି ଉଦ୍ଦେଶ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏନେଇ ବିଧାନସଭାରେ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । 

ସୂଚନା ଅନୁସାରେ, ପ୍ରସ୍ତାବିତ କ୍ରୁଜ୍ ଟର୍ମିନାଲ ପୁରୀ ଜିଲ୍ଲାର ସିପସୁବାଳି ଅଞ୍ଚଳରେ ଥିବା ଧନଶ୍ରୀ ନଦୀର ମୁହାଣ ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ୬୦ ଏକର ଜମିରେ ନିର୍ମାଣ କରାଯିବ । ଏହି ବୃହତ୍‌ ପ୍ରକଳ୍ପ ପାଇଁ ପ୍ରାୟ ୧,୦୦୦ କୋଟି ଟଙ୍କା ବ୍ୟୟ ହେବାର ଅନୁମାନ କରାଯାଉଛି । ପ୍ରକଳ୍ପର ବୈଷୟିକ-ଆର୍ଥିକ ସମ୍ଭାବ୍ୟତା ରିପୋର୍ଟ (Techno Economic Feasibility Report) ପ୍ରସ୍ତୁତ କରିବା ପାଇଁ WAPCOS Limited ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ରିପୋର୍ଟ ପ୍ରସ୍ତୁତ ହେବା ପରେ ପ୍ରକଳ୍ପର ଆର୍ଥିକ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। 

କ୍ରୁଜ୍ ଟର୍ମିନାଲର ଯୋଜନାବଦ୍ଧ ବିକାଶ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ପରିଚାଳନା ଅଧିକାରୀ, ଓଡ଼ିଶା ମାରିଟାଇମ୍ ବୋର୍ଡଙ୍କ ଅଧ୍ୟକ୍ଷତାରେ ଏକ Special Purpose Vehicle (SPV) ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାର ମାଧ୍ୟମରେ ପ୍ରକଳ୍ପର କାର୍ଯ୍ୟକୁ ଆଗେଇ ନିଆଯିବ। 

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପୁରୀକୁ ପାରାଦୀପ, ଦୀଘା, ବିଶାଖାପାଟଣା ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ପ୍ରମୁଖ ସାମୁଦ୍ରିକ ହବ୍ ସହିତ ଯୋଡ଼ାଯାଇପାରିବ। ଏହା ଦ୍ୱାରା ଓଡ଼ିଶାର ଉପକୂଳ ପର୍ଯ୍ୟଟନ (Coastal Tourism) ଏବଂ ଅର୍ଥନୀତିରେ ବଡ଼ ଧରଣର ଅଭିବୃଦ୍ଧି ଘଟିବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।