ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ , ଜଳକା , ସାଳନ୍ଦୀ

Sep 25, 2026 - 12:01
ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ , ଜଳକା , ସାଳନ୍ଦୀ

ଯାଜପୁର : ଉତ୍ତର ଓଡିଶାକୁ ପୁଣି ବନ୍ୟା ଭୟ । ଲଗାଣ ବର୍ଷାରେ ବଢ଼ିଲା ବୈତରଣୀ , ଜଳକା , ସାଳନ୍ଦୀ ନଈ । ଆଜି ସକାଳ ସକାଳ ୭ ଟା ସୁଦ୍ଧା ଆନନ୍ଦପୁର ଠାରେ ସତର୍କ ସୂଚନା ପାର କରିଛି ବୈତରଣୀ । ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଥିବା ବେଳେ ନଦୀ ୩୭.୪୭୦ ମିଟର ରେ ପ୍ରବାହିତ ହେଉଛି । 

ସେହିପରି ବାଲେଶ୍ୱର ଜିଲ୍ଲାରେ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଏବେ ସେଠାରେ ୧୫.୪୦ ଉପରେ ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 

ସେପଟେ, ଯାଜପୁର ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ସେଠାରେ ୧୮.୪୨ରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଭୟଭୀତ ହୋଇ ରହିଛନ୍ତି ନଦୀ କୁଳିଆ ଲୋକେ । ବନ୍ୟା ଆସିବା ଫଳରେ ପୁଣି ଭାଙ୍ଗିଗଲା ମରାମତି ହୋଇଥିବା ନଦୀବନ୍ଧ ।

ପୂର୍ବବନ୍ୟାରେ ଯାଜପୁର ଦଶରଥପୁର ବ୍ଲକ ତରପଦା ପଂଚାୟତ ଡୋଭାବିଲ ପାଟଣାରେ ବୈତରଣୀର ଶାଖା କାଣୀ ନଦୀର ବନ୍ଧ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରିଯାଇଥିଲା । ପୁଣି ବନ୍ୟାଜଳ ବଢିବା ଫଳରେ ଆଜି ଭୋରୁ ଏହି ମରାମତି ହୋଇଥିବା ବନ୍ଧ ଉପରେ ବନ୍ୟାଜଳ ଚାଲି ଥିଲା । ବନ୍ୟା ଜଳର ସ୍ରୋତ ଅଧିକ ଥିବାରୁ ପରବର୍ତ୍ତୀ ସମୟରେ ଏହି ବନ୍ଧକୁ ପୁଣିଥରେ ଭାଙ୍ଗି ଦେଇଛି । ଫଳରେ ବନ୍ୟାପାଣି ସେହି ବାଟ ଦେଇ ଗାଁକୁ ପ୍ରବେଶ କରିଥିବା ବେଳେ ଦଶରଥପୁର ବ୍ଲକ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।

ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେବାରୁ ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି । ୧୯ ନମ୍ବର ରାଜ୍ୟ ରାଜପଥ ତଥା ନାଲୁହା ନଦୀ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଉଦଳା-ଖୁଣ୍ଟା-ବାରିପଦା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।