ପ୍ରଶାନ୍ତ ଭୂଷଣ କହିଲେ ସିଇସି ବିରୋଧୀ ଆନ୍ଦୋଳନ ଏବେ ‘ସରକାର ପରିବର୍ତ୍ତନର ଲଢ଼େଇ’
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଶୁକ୍ରବାର କହିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତାକୁ ନେଇ ଚାଲିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ବିରୋଧୀ ଆନ୍ଦୋଳନ ଏବେ ପ୍ରକୃତରେ ‘ସରକାର ପରିବର୍ତ୍ତନର ଲଢ଼େଇ’ ପାଲଟିଛି। ତାଙ୍କର ଏହି ମନ୍ତବ୍ୟ ପରେ ବିଜେପି ତୀବ୍ର ପ୍ରତିକ୍ରିୟା ଦେଇଛି। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ନିର୍ବାଚନରେ ଜନମତ ହାସଲ ନକରି ନରେନ୍ଦ୍ର ମୋଦୀ ସରକାରକୁ କ୍ଷମତାରୁ ହଟାଇବାକୁ ଚାହୁଛନ୍ତି। ନୂଆଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ର ସଂଗଠନ ନେତା ଓ ଅନ୍ୟ କର୍ମୀମାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଭୂଷଣ କହିଥିଲେ ଯେ ସରକାର ପରିବର୍ତ୍ତନ ପାଇଁ ଦାବି କରିବା ଗଣତାନ୍ତ୍ରିକ ଅଧିକାରର ଅଂଶ। ସେ କହିଥିଲେ ଯେ ବର୍ତ୍ତମାନ ତାଙ୍କ ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ନିର୍ବାଚନ ଠିକ୍ ଭାବରେ ହେବା ସୁନିଶ୍ଚିତ କରିବା। କିନ୍ତୁ ଯଦି ଏଭଳି ଦମନମୂଳକ ପଦକ୍ଷେପ ଜାରି ରହେ, ତେବେ ସରକାର ପରିବର୍ତ୍ତନ ନିଶ୍ଚିତ ହେବ ବୋଲି ସେ କହିଥିଲେ। ଭୂଷଣଙ୍କ ମତରେ, ସରକାର ପରିବର୍ତ୍ତନ ଦାବି କରିବାରେ କୌଣସି ଭୁଲ୍ ନାହିଁ। ସେ ଯୁକ୍ତି ଦେଇଥିଲେ ଯେ ଅତୀତରେ ବିଜେପି ମଧ୍ୟ ସରକାର ପରିବର୍ତ୍ତନ ପାଇଁ ଅନେକ ଆନ୍ଦୋଳନ କରିଛି। ସେ ଆହୁରି କହିଥିଲେ ଯେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ଭାରତୀୟ ସମ୍ବିଧାନ ଅନୁଯାୟୀ ଅପରାଧ ନୁହେଁ। ଭୂଷଣ ଏହି ସରକାରକୁ ଗଣତନ୍ତ୍ରକୁ ଦମନ କରୁଥିବା ସରକାର ବୋଲି ଅଭିହିତ କରିଥିଲେ। ତାଙ୍କ କହିବା ଅନୁଯାୟୀ, କର୍ତ୍ତୃପକ୍ଷ ଯଦି ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରନ୍ତି, ତେବେ ଆହୁରି ଅଧିକ ଲୋକ ରାସ୍ତାକୁ ଓହ୍ଲାଇବେ। ଯୁବପିଢ଼ି ଏହି ଆନ୍ଦୋଳନର ନେତୃତ୍ୱ ନେବେ ଏବଂ ନାଗରିକ ସମାଜର ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ଏଥିରେ ସାମିଲ ହେବେ ବୋଲି ସେ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ କେତେକ ଗୋଷ୍ଠୀ ଯୁବପିଢ଼ିଙ୍କୁ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାରେ ବ୍ୟବହାର କରୁଛନ୍ତି। ସେ ବାଂଲାଦେଶରେ ଘଟିଥିବା ଘଟଣା ସହ ଏହି ପ୍ରସଙ୍ଗକୁ ତୁଳନା କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, କେତେକ ଲୋକ ବାଂଲାଦେଶର ଘଟଣାରୁ ପ୍ରେରଣା ନେଇ ସରକାର ପରିବର୍ତ୍ତନ କରିବାକୁ ଚାହୁଛନ୍ତି। ରାଜନାଥ ସିଂହ କହିଥିଲେ ଯେ ଏହି ଆନ୍ଦୋଳନ କେବଳ ନିର୍ବାଚନୀ ସଂସ୍କାର, ଏସ୍ଆଇଆର କିମ୍ବା ଜ୍ଞାନେଶ କୁମାରଙ୍କୁ ନେଇ ନୁହେଁ ବରଂ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ କରିବାର ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଥିଲେ। ବିଜେପିର ଜାତୀୟ ମୁଖପାତ୍ର ସି.ଆର୍. କେଶବନ ପ୍ରଶାନ୍ତ ଭୂଷଣଙ୍କ ମନ୍ତବ୍ୟକୁ ନେଇ କହିଥିଲେ ଯେ ଏହା ପ୍ରମାଣ କରୁଛି ଯେ ବିରୋଧୀଙ୍କ ପାଇଁ ଏସ୍ଆଇଆର କେବଳ ଏକ ଆଳ। ତାଙ୍କ ଅଭିଯୋଗ ଥିଲା ଯେ ରାହୁଲ ଗାନ୍ଧୀ ଓ ତାଙ୍କ ସମର୍ଥକମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେଇ ଅଗଣତାନ୍ତ୍ରିକ ଉପାୟରେ କ୍ଷମତା ହାସଲ କରିବା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଇ ଲେଖିଥିଲେ ଯେ ସବୁ କଥା ଏବେ ସ୍ପଷ୍ଟ ହୋଇଯାଇଛି ଏବଂ ଏହା ସରକାର ପରିବର୍ତ୍ତନକୁ ନେଇ ହିଁ ଥିଲା। ବିଜେପି ନେତା ସି.ଟି. ରବି ମଧ୍ୟ ଆନ୍ଦୋଳନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା ଅନୁଯାୟୀ, SIRରେ ଅନିୟମିତତା ଓ ‘ଭୋଟ୍ ଚୋରି’ ଭଳି ଅଭିଯୋଗକୁ ପ୍ରମାଣଭିତ୍ତିକ ଆଲୋଚନାର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ନାହିଁ। ବିଜେପିର ଜାତୀୟ ମୁଖପାତ୍ର ଗୁରୁପ୍ରକାଶ ପାସୱାନ କହିଥିଲେ ଯେ ଗଣତନ୍ତ୍ରରେ ସରକାର ପରିବର୍ତ୍ତନର ଅଧିକାର ଲୋକଙ୍କ ପାଖରେ ରହିଛି ଏବଂ ଏହା ନିର୍ବାଚନ ମାଧ୍ୟମରେ ହେବା ଉଚିତ, ରାସ୍ତାରେ ଅରାଜକତା ସୃଷ୍ଟି କରି ନୁହେଁ। ବିଜେପି ସାଂସଦ ସମ୍ବିତ ପାତ୍ର ମଧ୍ୟ ଭୂଷଣଙ୍କ ମନ୍ତବ୍ୟକୁ ଆଧାର କରି ଅଭିଯୋଗ କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ ନିର୍ବାଚନରେ ଭାଗ ନନେଇ କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ଭାରତରେ ସରକାର ପରିବର୍ତ୍ତନ ପାଇଁ ସମ୍ବିଧାନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ପ୍ରତି ପାଞ୍ଚ ବର୍ଷରେ ହେଉଥିବା ନିର୍ବାଚନ ମାଧ୍ୟମରେ ଲୋକେ ନିଜର ମତଦାନ ଅଧିକାର ପ୍ରୟୋଗ କରନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।