ବାତ୍ୟାକୁ ନେଇ ଗୁଜବ କଲେ ଜେଲ ଦଣ୍ଡ - SRC

Oct 27, 2026 - 16:04
ବାତ୍ୟାକୁ ନେଇ ଗୁଜବ କଲେ ଜେଲ ଦଣ୍ଡ - SRC

ଭୁବନେଶ୍ୱର : ସାବଧାନ ! ବାତ୍ୟାକୁ ନେଇ ପ୍ରଚାର କରନ୍ତୁ ନାହିଁ ମିଛ ଖବର । ହୋଇପାରେ ଜେଲ ଓ ଜୋରିମାନା । ସୋସିଆଲ ମିଡିଆରେ ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଓ କ୍ଷୟକ୍ଷତିକୁ ନେଇ ମନଗଢ଼ା ତଥା ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି । ଓଡ଼ିଶା ସରକାର ଓ ସ୍ପେଶାଲ ରିଲିଫ୍ କମିଶନର (SRC) ସୋସିଆଲ ମିଡିଆ ୟୁଟ୍ୟୁବର୍‌, ଡିଜିଟାଲ୍ ମିଡିଆ ଚ୍ୟାନେଲ୍ ଏବଂ ଜନସାଧାରଣଙ୍କ ପାଇଁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ବାତ୍ୟା ସମ୍ପର୍କରେ ମିଥ୍ୟା ସତର୍କ ସୂଚନା ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ  । ଏହି ଆଇନର ଧାରା ୫୪ ଅନୁସାରେ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରଚାର କରି ଆତଙ୍କ ସୃଷ୍ଟି କରିବା ଅଭିଯୋଗ ପ୍ରମାଣିତ ହେଲେ ସର୍ବାଧିକ ଏକ ବର୍ଷ ଜେଲ୍ କିମ୍ବା ଜରିମାନା ହୋଇପାରେ ।

ସେହିପରି ଅଧିକୃତ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତୃପକ୍ଷଙ୍କ ବୈଧ ନିର୍ଦ୍ଦେଶ ଅବମାନନା କରିବା ନେଇ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ। ଖବର ପ୍ରକାଶ କରିବା ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଖବରକାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ମିଡିଆ ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏଥିସହ ପାଣିପାଗ ସମ୍ପର୍କିତ ସୂଚନାକୁ ଅଧିକୃତ ସୂତ୍ରରୁ ନିଶ୍ଚିତ କରିବାକୁ କୁହାଯାଇଛି । ତେଣୁ ବାତ୍ୟାକୁ ନେଇ କୌଣସି ଅପ୍ରମାଣିତ ଖବରରେ ବିଶ୍ୱାସ ନକରିବା ସହ କେବଳ ସରକାର ଓ ଅଧିକୃତ ପାଣିପାଗ ବିଭାଗର ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।