ଉଡୁଥିବା ସ୍କେଟବୋର୍ଡ
ଚୀନର ହୁବେଇ ପ୍ରାନ୍ତର ୨୬ ବର୍ଷୀୟ ଯୁବକ ସଙ୍ଗ ସିଙ୍ଗ୍ୟୁ ଏକ ଉଡନ୍ତା ସ୍କେଟବୋର୍ଡର ନିର୍ମାଣ କରିଛନ୍ତି । ସେ ଏହି ସ୍କେଟବୋର୍ଡ ସ୍ପାଇଡର-ମ୍ୟାନ୍ ଚଳଚ୍ଚିତ୍ରର 'ଗ୍ରୀନ୍ ଗୋବ୍ଲିନ୍'ର ଉଡ଼ିବା ବୋର୍ଡରୁ ପ୍ରେରଣା ପାଇ ନିର୍ମାଣ କରିଛନ୍ତି । ୧୦ଟି ଇଲେକ୍ଟ୍ରିକ୍ ମୋଟର ଯୁକ୍ତ ଏହି ଅନନ୍ୟ ଉଡ଼ିବା ସ୍କେଟବୋର୍ଡକୁ ସେ ନିଜେ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ୫ଟି ଜେଟ୍ ଇଞ୍ଜିନ୍ ଲଗାଇ ମଡ଼େଲ୍ ତିଆରି କରୁଥିବା ସମୟରେ ପରୀକ୍ଷଣ ବେଳେ ସେଥିରେ ନିଆଁ ଲାଗିଯିବାରୁ ସେ ଇଲେକ୍ଟ୍ରିକ୍ ମୋଟର ମଡ଼େଲ୍ ପ୍ରସ୍ତୁତ କରିଥିଲେ । ଯାହାକୁ ତିଆରି କରିବା ପାଇଁ ପ୍ରାୟ ଦୁଇ ମାସ ସମୟ ଲାଗିଥିଲା । ସେହିଭଳି ଏହାକୁ ଚଳାଇବା ଶିଖିବା ପାଇଁ ସେ ୧୦ ଦିନରୁ ଅଧିକ ଅଭ୍ୟାସ କରି ବର୍ତ୍ତମାନ ନଦୀ ଓ ଉପତ୍ୟକା ଉପରେ ମଧ୍ୟ ସଫଳତାର ସହ ଉଡ଼ାଣ ଭରୁଛନ୍ତି । ଉଡ଼ାଣ ସମୟରେ ଶରୀରର ସାମାନ୍ୟ ପରିବର୍ତ୍ତନ ମଧ୍ୟ ସ୍କେଟବୋର୍ଡର ଭାରସାମ୍ୟ ବିଗାଡ଼ି ପାରୁଥିବାରୁ, ସେ ଏକ ସ୍ୱତନ୍ତ୍ର ଏଆଇ ସିଷ୍ଟମ ତିଆରି କରିଛନ୍ତି ଯାହା ସ୍କେଟବୋର୍ଡର ବାଲାନ୍ସ ଉପରେ ନଜର ରଖି ଇୟରଫୋନ୍ ଜରିଆରେ ଶରୀରକୁ କେଉଁ ଦିଗକୁ ଝୁଙ୍କାଇବାକୁ ହେବ ତାହା ନିର୍ଦ୍ଦେଶ ଦେଇଥାଏ । ସୋସିଆଲ ମିଡିଆରେ ସମସ୍ତେ ଏହାର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।