ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଓଡ଼ିଶାରେ ୩୮୧ ଅଗ୍ନିଶମ ଟିମ୍ ସଜାଗ

Sep 23, 2026 - 20:02

ଭୁବନେଶ୍ଵର:ସାମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ସମୟରେ ଦ୍ରୁତ ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ରେଞ୍ଜରେ ମୋଟ ୩୮୧ଟି ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି।ଏହି ପ୍ରସ୍ତୁତି ଅନୁଯାୟୀ, ମଧ୍ୟାଞ୍ଚଳ (ସେଣ୍ଟ୍ରାଲ୍ ରେଞ୍ଜ) ରେ ୧୩୩ଟି ନିୟମିତ ଟିମ୍ ସହ ୧୪ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୪୭ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ଉତ୍ତରାଞ୍ଚଳ (ନର୍ଦ୍ଦନ୍ ରେଞ୍ଜ) ରେ ୧୧୨ଟି ନିୟମିତ ଟିମ୍ ସହ ୧୩ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୨୫ଟି ଟିମ୍ ଏବଂ ଦକ୍ଷିଣାଞ୍ଚଳ (ସଦର୍ନ୍ ରେଞ୍ଜ) ରେ ୯୭ଟି ନିୟମିତ ଟିମ୍ ସହ ୧୨ଟି ଅତିରିକ୍ତ ଟିମ୍‌କୁ ମିଶାଇ ମୋଟ ୧୦୯ଟି ଟିମ୍ ପ୍ରସ୍ତୁତ ରହିଛନ୍ତି।

​ଅନ୍ୟପଟେ ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଗଛ କାଟି ସଫା କରିବା ଏବଂ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା, ଭବାନୀପାଟଣା ଏବଂ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୩ଟି ଜଳ ନିଷ୍କାସନ (Dewatering) କାର୍ଯ୍ୟ ଏବଂ ୩୦ଟି ସ୍ଥାନରେ ରାସ୍ତାଘାଟରୁ ଉପୁଡ଼ି ପଡ଼ିଥିବା ଗଛ କାଟି ସଫା କରାଯାଇଛି।​ରାସ୍ତା ସଫା କରିବା ପାଇଁ ଆଧୁନିକ ପାୱାର ସ’, ବିଭିନ୍ନ ହାଇଡ୍ରୋଲିକ ଉପକରଣ ବ୍ୟବହାର କରାଯିବା ସହ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ କରିବା ପାଇଁ ହାଇ-କପାସିଟି ପମ୍ପ ମୁତୟନ କରାଯାଇଛି। ଲୋକଙ୍କୁ ଭୟଭୀତ ନ ହୋଇ ସଜାଗ ରହିବା ସହ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଜରୁରୀକାଳୀନ ସେବା ନମ୍ବର ୧୧୨ କୁ ତୁରନ୍ତ ଡାଏଲ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।