ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ତାଡିଝୋଲା ଗ୍ରାମବାସୀ

Sep 21, 2026 - 20:05

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣୀପଙ୍ଗା ପଞ୍ଚାୟତର ତାଡିଝୋଲା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହୋଇ ପଡୁଛନ୍ତି। ତାଡିଝୋଲା ଗାଁ ହେଉଛି ଦୁର୍ଗମ ପାହାଡ଼ ଘେରା ଅଞ୍ଚଳ। ଏଠାରେ ପ୍ରାୟ ୨୨ ଘର ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ବ ହେବ। ଏହି ଗ୍ରାମରେ ସମସ୍ତେ ଆଦିବାସୀ ଓ କୁଲି ମଜୁରିଆ ଅଟନ୍ତି। ଏଠାକାର ଲୋକମାନେ ଖରା ବର୍ଷା ଶୀତ କାକରରେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଧେଇବା ଠାରୁ ରୋଷେଇ କରିବା ବାସନ କୁସନ ମାଜିବା, ଗାଁରେ ପାଳନ କରୁଥିବା ପଶୁପକ୍ଷୀମାନେ ପାଖରେ ଥିବା ନାଳ ପାଣି ଉପରେ ନିର୍ଭର କରିଥାନ୍ତି। ଉକ୍ତ ନାଳ ପାଣି ନିକଟରେ ଚୁଆଁ ଖୋଳି ସେଥିରୁ ପାଣି ସଂଗ୍ରହ କରି ନିଜର ଜୀବନ ବିତାଉଛନ୍ତି। ଏହି ନାଳ ପାଣିକୁ ବ୍ୟବହାର କରିବା ଦ୍ୱାରା ଛୋଟ ପିଲାଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ଜ୍ବର, ପେଟ ବ୍ୟଥା ଝାଡାବାନ୍ତି, କାଛୁ କୁଣ୍ଡିଆ ଭଳି ଅନେକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠାକାର ଲୋକମାନେ ପୂର୍ବରୁ ଗାଁ ପାଖରେ ଥିବା ନାଳର ଝର ପାଣିକୁ ଏକ ପାଇପ ନଳା ସାହାଯ୍ୟରେ ଗାଁ ଭିତରକୁ ଆଣି ଏକ ସିମେଣ୍ଟ କୁଣ୍ଡ କରି ପାଣିକୁ ବ୍ୟବହାର କରୁଥିଲେ, ତାହା ମଧ୍ୟ ଦୀର୍ଘଦିନ ହେଲାଣି ବନ୍ଦ ହୋଇ ଯାଇଛି। କିଛି ମାସ ହେବ ଗାଁରେ ଗୋଟିଏ ନଳକୂପ ଖୋଳା ଯାଇଛି ବର୍ତ୍ତମାନ ସୁଦ୍ଧା କୌଣସି ସରଞ୍ଜାମ ଖଞ୍ଜା ଯାଇନାହିଁ। ଏଠାକାର ଲୋକମାନେ ବର୍ଷ ବର୍ଷ ଧରି ଏହିଭଳି ସମସ୍ୟା ଦେଇ ଗତି କରୁଛନ୍ତି। ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରି ପ୍ରତି ଗ୍ରାମାଞ୍ଚଳ ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି କିନ୍ତୁ,ଏହି ଅଞ୍ଚଳର ବାସ୍ତବ ଚିତ୍ର କହିଲେ ଯୋଜନା ଦିଗହରା ହୋଇପଡୁଛି। କେବେ ମୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ସରକାର ଯୋଗାଇ ଦେଇ ପାରିବେ ବୋଲି ଗ୍ରାମର ଅଁଳା କାଡ୍ରାକା, ମଞ୍ଜିକା ଘାସାଇ,କାଡ୍ରା ଲଛମି, ମାଙ୍ଗାଲି ପ୍ରେକା, ଲଛ କାଡ୍ରାକା, କୁନାକା ଇଡ଼କ, ରାଣୀ ମଞ୍ଜିକା, ଫୁଲମତି କାଡ୍ରାକା, ମଙ୍ଗାଲି କାଡ୍ରାକା ଦାବୀ, ପିଉ କାଡ୍ରାକା ପ୍ରମୁଖ କହିଛନ୍ତି।

ବୁଧ-ଗୁରୁଙ୍କ ଲାଭଦୃଷ୍ଟି ଯୋଗ; ଜାଣନ୍ତୁ କେଉଁ ରାଶିଙ୍କ ଆଲମିରା ଧନରେ ଭରିବ..

୫ ମିନିଟ୍ ଗୁଗଲ୍ ମିଟ୍ ; ଆଉ ୮୦ ଭାରତୀୟ କର୍ମଚାରୀ ହରାଇଲେ ଚାକିରି !

ସ୍ୱାମୀର ଋଣ ସହିତ ସ୍ତ୍ରୀର କୌଣସି ସମ୍ପର୍କ ନାହିଁ-କୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।