ବିହାର

Nov 08, 2026 - 15:45
ବିହାର

 

ବିହାରର ଅଙ୍ଗ ଅଞ୍ଚଳ, ବିଶେଷ କରି ଭାଗଲପୁର ସମେତ ମୁଙ୍ଗେର, କାଟିହାର ଓ ପୂର୍ଣ୍ଣିଆ ଜିଲ୍ଲାରେ ପ୍ରସିଦ୍ଧ କାଳୀପୂଜା ଅତ୍ୟନ୍ତ ଆଡ଼ମ୍ବର ଓ ଉଲ୍ଲାସର ସହ ପାଳନ କରାଯାଇଥାଏ । ଭାଗଲପୁର ସହରର କୋଣ ଅନୁକୋଣରେ ଶୋଭା ପାଉଥିବା ଶହ ଶହ ଆକର୍ଷଣୀୟ ପୂଜା ମଣ୍ଡପ, ଆଲୋକସଜ୍ଜା ଏବଂ  ବିଶାଳ ଶୋଭାଯାତ୍ରା ସମଗ୍ର ସହରକୁ ଉତ୍ସବମୁଖର କରିଥାଏ । ଏହା ବର୍ତ୍ତମାନର ଏକ ନୂତନ ଧାରା ନୁହେଁ, ବରଂ ଦୀର୍ଘଦିନରୁ ଚାଲିଆସୁଥିବା ଏକ ପାରମ୍ପରିକ ଐତିହ୍ୟ ଅଟେ । ପୂଜାର୍ଚ୍ଚନା ଶେଷ ହେବା ପରେ ଷ୍ଟେସନ ଛକରୁ କାଳୀ ବିସର୍ଜନ ଘାଟ ପର୍ଯ୍ୟନ୍ତ ଏକ ଧାଡ଼ିରେ ପ୍ରାୟ ୮୦ ରୁ ୯୦ଟି ମୂର୍ତ୍ତି ସୁସଜ୍ଜିତ ହୋଇ ରହିବା ସହ ବିଭିନ୍ନ ପୂଜା କମିଟି ଦ୍ୱାରା ପ୍ରଦର୍ଶନୀ , ମହା ଆରତି ଏବଂ ରଙ୍ଗବେରଙ୍ଗର ଆଲୋକମାଳା ଖୁବ ସୁନ୍ଦର ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠିକାର କାଳୀପୂଜା ସହିତ ବିସର୍ଜନ ମଧ୍ୟ ଖୁବ ସୁନ୍ଦର ହୋଇଥାଏ । ଅନ୍ୟପଟେ ନାଥନଗର ଅଞ୍ଚଳରୁ ପ୍ରାୟ ୩୫ ରୁ ୪୦ଟି ମୂର୍ତ୍ତି ଆଉ ଏକ ପୃଥକ ଶୋଭାଯାତ୍ରାରେ ଚମ୍ପା ନଦୀ ଘାଟକୁ ନିଆଯାଇଥାଏ । ଅନ୍ୟପକ୍ଷରେ ବିହପୁର ଅଞ୍ଚଳରେ ୨୨ ଫୁଟ ଉଚ୍ଚତାବିଶିଷ୍ଟ ବିଶାଳ ପ୍ରତିମାଗୁଡ଼ିକୁ ଶ୍ରଦ୍ଧାଳୁମାନେ ନିଜ କାନ୍ଧରେ ବୋହି ଏକ ଅନନ୍ୟ ତଥା ମହାସମାରୋହରେ ବିସର୍ଜନ କରିଥାନ୍ତି । ଯାହାକି ସ୍ଥାନୀୟ ବଙ୍ଗାଳୀ ସମ୍ପ୍ରଦାୟ ଓ ଘରୋଇ ପୂଜାର ବିସର୍ଜନ ନୀତି ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୋଇଥାଏ । ସେହିଭଳି ଏଠାରେ ପ୍ରତିଟି ସ୍ଥାନରେ ମାଆଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତି ପୂଜା ପାଇଥାଆନ୍ତି । ପୂଜା ପଣ୍ଡାଲରେ ଅନେକ ଭିଡ ଦେଖିବାକୁ ମିଳିଥାଏ ।

ଓଡ଼ିଶା

କାର୍ତ୍ତିକ ମାସର ଅମାବାସ୍ୟା ତଥା ପବିତ୍ର ଦୀପାବଳିର ସୁଭଲଗ୍ନରେ ସାରା ଓଡ଼ିଶାରେ ମହାସମାରୋହ ଜଗଜ୍ଜନନୀ ମା' କାଳୀଙ୍କ ଆରାଧନା ସମ୍ପନ୍ନ କରାଯାଇଥାଏ । ରାଜ୍ୟର ବିଭିନ୍ନ ପ୍ରମୁଖ ସହର ମଧ୍ୟରେ ଭଦ୍ରକରେ ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ କାଳୀପୂଜାର ଆୟୋଜନ ହୋଇଥାଏ । ଏଠାରେ ପ୍ରତିବର୍ଷ ଚରମ୍ପା ବଜାରଠାରେ ଐତିହାସିକ କାଳୀପୂଜା ଅନ୍ୟତମ ପ୍ରଧାନ ଆକର୍ଷଣ ପାଲଟିଥାଏ । ଯେଉଁଠାରେ ସ୍ୱର୍ଣ୍ଣ ମନ୍ଦିର ଏବଂ ବାଉଁଶ କାରୁକାର୍ଯ୍ୟରେ ନିର୍ମିତ ଆକର୍ଷଣୀୟ ଥିମ୍ ମଣ୍ଡପ, ଦୀର୍ଘଦିନବ୍ୟାପୀ ଚାଲିଥିବା ବିଶାଳ ସାଂସ୍କୃତିକ ମେଳା ଓ ଭବ୍ୟ ବିସର୍ଜନ ଶୋଭାଯାତ୍ରା ସମଗ୍ର ଅଞ୍ଚଳକୁ ଉତ୍ସବମୁଖର କରିଥାଏ । ସେହିପରି ସିଲଭର ସିଟି କଟକରେ ସାହୁକାରୀ ପରମ୍ପରା ସହ ସୁସଜ୍ଜିତ ପ୍ରତ୍ୟେକ ମଣ୍ଡପରେ ମା'ଙ୍କ ସୁନ୍ଦର ମୃଣ୍ମୟୀ ପ୍ରତିମା, କାଲିଗ୍ରାଫିକ୍ ତାରକସି ଚାନ୍ଦି ମେଢ଼ ଏବଂ ଆଲୋକମାଳା ମଧ୍ୟରେ ମାଆଙ୍କର ପୂଜା କରାଯାଇଥାଏ । ଏହାସହ ରାଜଧାନୀ ଭୁବନେଶ୍ୱରର ପୁରୁଣା ସହରସ୍ଥିତ ଐତିହାସିକ ମା' କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ ।  ଏହାସହ କିଛି ସ୍ଥାନରେ ମାଆଙ୍କର ପଣ୍ଡାଲ ମଧ୍ୟ ସଜାଯାଇ ପୂଜାର ଆୟୋଜନ ହୋଇଥାଏ । ସେହିଭଳି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁର ଭି.ଏସ.ଏସ. ମାର୍ଗସ୍ଥିତ ଐତିହାସିକ କାଳୀବାଡ଼ି ମନ୍ଦିର , ଯାହା ୧୯୧୬ ମସିହାରେ ବଙ୍ଗୀୟ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ହୋଇ ୧୯୮୩ରେ ନବନିର୍ମିତ ହୋଇଥିଲା ସେଠାରେ ମଧ୍ୟ ଖୁବ ଧୁମଧାମରେ ପୂଜା କରାଯାଇଥାଏ । ଓଡ଼ିଶାର ପ୍ରତିଟି ସହରରେ ମାଆଙ୍କୁ ଖୁବ ଶ୍ରଦ୍ଧାର ସହ ପୂଜା କରାଯାଇଥାଏ । ପ୍ରତିଟି ପୂଜାମଣ୍ଡପ ଓ ପାରିବାରିକ ଗୃହଗୁଡ଼ିକରେ ସନ୍ଧ୍ୟାରେ ମା'ଙ୍କ ପ୍ରତିମା ସ୍ଥାପନ ପୂର୍ବକ ଫୁଲ, ନାନାବିଧ ମିଷ୍ଟାନ୍ନ, ଫଳମୂଳ, ଅନ୍ନ, ଡାଲି ଓ ପଞ୍ଚାମୃତ ଅର୍ପଣ କରାଯାଇ ମହାନିଶା ଆରତି ଓ ପୂଜା କରାଯାଇଥାଏ ।

ବର୍ଷ ସାରା ହୁଏ ମାଙ୍କ ଆରାଧାନା

କାର୍ତ୍ତିକ ମାସର ପବିତ୍ର ଦୀପାନ୍ୱିତା ଅମାବାସ୍ୟାରେ ଆୟୋଜିତ ହେଉଥିବା ମହାକାଳୀ ପୂଜା ସାରା ଦେଶରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ବେଳେ, ବର୍ଷସାରା ଅନ୍ୟ କେତେକ ବିଶେଷ ଅମାବାସ୍ୟା ଓ ତିଥିରେ ମଧ୍ୟ ଜଗଜ୍ଜନନୀ ମା' କାଳୀଙ୍କ ବିଶେଷ ଆରାଧନା କରାଯାଇଥାଏ । ସେଥିମଧ୍ୟରୁ 'ରଟନ୍ତୀ କାଳୀପୂଜା', 'ଫଳହାରିଣୀ କାଳୀପୂଜା' ଏବଂ 'କୌଶିକୀ ଅମାବାସ୍ୟା କାଳୀପୂଜା' ଅନ୍ୟତମ । ଧାର୍ମିକ ବିଶ୍ୱାସ ଅନୁସାରେ, କୌଶିକୀ ଅମାବାସ୍ୟା ତିଥି ତାରାପୀଠର ମା' ତାରାଙ୍କ ସହ ଜଡ଼ିତ, ଯେଉଁ ଦିନ ମା' ତାରା ଧରାପୃଷ୍ଠରେ ଆବିର୍ଭୂତ ହୋଇ ସାଧକ ବାମାକ୍ଷେପାଙ୍କୁ ସିଦ୍ଧି ପ୍ରଦାନ କରିଥିଲେ । ଏହି ଦିନ କିଛି ସମୟ ପାଇଁ ସ୍ୱର୍ଗ ଓ ନରକର ଦ୍ୱାର ଖୋଲିଥାଏ ବୋଲି ପୌରାଣିକ ମାନ୍ୟତା ରହିଛି । ଅପରପକ୍ଷରେ, ମାଘ ମାସ କୃଷ୍ଣ ଚତୁର୍ଦ୍ଦଶୀରେ 'ରଟନ୍ତୀ କାଳୀପୂଜା' ଏବଂ ଜ୍ୟେଷ୍ଠ ମାସ ଅମାବାସ୍ୟାରେ 'ଫଳହାରିଣୀ କାଳୀପୂଜା' ପାଳିତ ହୋଇଥାଏ । ବିଶେଷକରି, ୧୮୭୨ ମସିହାର ଫଳହାରିଣୀ କାଳୀପୂଜା ତିଥିରେ ସାଧକ ରାମକୃଷ୍ଣ ପରମହଂସ ନିଜ ଧର୍ମପତ୍ନୀ ଶାରଦା ଦେବୀଙ୍କୁ ମହାଶକ୍ତି 'ଷୋଡ଼ଶୀ' ରୂପରେ ପୂଜାର୍ଚ୍ଚନା କରିଥିବାରୁ ଏହି ଦିବସଟିର ଆଧ୍ୟାତ୍ମିକ ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ଭାବେ ଅନେକ ସ୍ଥାନରେ ବିଭିନ୍ନ ସମୟରେ ମାଆଙ୍କର ପୂଜା ଅନୁଷ୍ଠିତ ହୋଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।