ବିହାରରେ ଡଙ୍ଗା ବୁଡି ୧୩ ମୃତ , ୭ଉଦ୍ଧାର

Oct 14, 2026 - 12:54
ବିହାରରେ ଡଙ୍ଗା ବୁଡି ୧୩ ମୃତ , ୭ଉଦ୍ଧାର

ପାଟନା : ବିହାରର ହାଜିପୁର ନିକଟସ୍ଥ ଗଙ୍ଗା ନଦୀରେ ବଡ଼ ଅଘଟଣ । ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇ ୧୩ ଜଣ ପିଲାଙ୍କର ମୃତ୍ୟୁ ଘଟିଥିବାବେଳେ , ୭ ଜଣ ଉଦ୍ଧାର ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ବିହାରର ବୈଶାଳୀ ଜିଲ୍ଲା ହାଜିପୁର ନିକଟବର୍ତ୍ତୀ ରାମପୁର ଶ୍ୟାମଚନ୍ଦ ଗାଁ ପାଖ ଗଙ୍ଗା ନଦୀରେ ଏହି ଅଘଟଣ ଘଟିଥିଲା । ପ୍ରାଣ ହରାଇଥିବା ସମସ୍ତ ୧୩ ଜଣ ପିଲାଙ୍କ ବୟସ ୧୫ ବର୍ଷରୁ କମ୍ । ଡଙ୍ଗାରେ ପ୍ରାୟ ୧୫ ରୁ ୨୦ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାମପୁର ଶ୍ୟାମଚନ୍ଦ ଗାଁର ଥିଲେ ।

ଏକ ଭୋଜିରେ ଯୋଗଦେବା ପାଇଁ ନଦୀ ପାର ହେଉଥିବା ବେଳେ ଗତକାଲି ରାତି ପ୍ରାୟ ୮ ଟା ୩୦ ରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଜରୁରୀକାଳୀନ ଟିମ ଓ ସ୍ଥାନୀୟ ବୁଡ଼ାଳିଙ୍କ ଦ୍ଵାରା ସାତ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଅଛି । ପାଟନାର ନାଲନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂ ସ୍ପଷ୍ଟ କରିଛନ୍ତି । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ସମୟରେ ଚାନ୍ଦିନୀ ନାମକ ଜଣେ ୧୭ ବର୍ଷୀୟା କିଶୋରୀ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରୁ ୩ ଜଣଙ୍କୁ ବଞ୍ଚାଇ ଦେବଦୂତ ସାଜିଛନ୍ତି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।