ଭଡାଟିଆଙ୍କ ଘରୁ ଚୋରି କରି ଘର ମାଲିକାଣି ଏବଂ ପୁଅ ଗିରଫ
ଭୁବନେଶ୍ୱର : ଆଶ୍ଚର୍ଯ୍ୟଜନକ ଖବର । ଭଡାଟିଆଙ୍କ ଘରୁ ଚୋରି କରି ଘର ମାଲିକାଣି ଏବଂ ପୁଅଙ୍କୁ ଗିରଫ କରିଛି ଭୁବନେଶ୍ୱର ଧଉଳି ଥାନା ପୋଲିସ । ଅଭିଯୁକ୍ତ ଦୁଇଜଣ ହେଲେ ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଲେନ୍ ୧ ଜଗନ୍ନାଥ ନଗରର ସୋନାଲି ସାହୁ (୩୮) ଏବଂ ବିଶ୍ୱରଞ୍ଜନ ସାହୁ (୧୯) । ଦୀର୍ଘ ଦିନ ଧରି ଭଡାଟିଆ ଅନୁପସ୍ଥିତ ରହିଥିବାରୁ କୌଶଳ କରି ତାଙ୍କ ଘରୁ ମାଆ'-ପୁଅ ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଥିଲା । ଗିରଫ ପରେ ମାଆ' ପୁଅଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁସାରେ, ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳର ସୋନାଲି ସାହୁଙ୍କ ଘରେ ଭଡ଼ାରେ ରହୁଥିଲେ ରାଜଲକ୍ଷ୍ମୀ ପ୍ରଧାନ। ତେବେ ଅସୁସ୍ଥତା କାରଣରୁ ସେ ଦୀର୍ଘ ୯ ମାସ ଧରି ଚିକିତ୍ସା ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ଭଡା ଘରେ ନିଜର ସମସ୍ତ ଆସବାବ ପତ୍ର ସହିତ ପ୍ରାୟ ୩୬୦ ଗ୍ରାମ୍ ସୁନା ମଧ୍ୟ ଆଲମିରାରେ ଥିଲା । ଘର ମାଲିକାଣୀଙ୍କ ପାଖରେ ଉକ୍ତ ଘରର ଏକ ଚାବି ଥିଲା । ରାଜଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ସୋନାଲି ଏବଂ ତାଙ୍କ ପୁଅ ବିଶ୍ୱରଞ୍ଜନ ସେହି ସୁନା ଅଳଙ୍କାର ଚୋରି କରି ନେଇଥିଲେ । ଘରକୁ ଫେରି ରାଜଲକ୍ଷ୍ମୀ ସୁନା ଅଳଙ୍କାର ନ ଦେଖି ଥାନାରେ ଏତଲା ଦେଇଥିଲେ । ଯାହାକୁ ନେଇ ପୋଲିସ ଅଗଷ୍ଟ ୧୩ ତାରିଖରେ କେସ୍ ନଂ.୧୯୯/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମା' ପୁଅଙ୍କୁ ଗିରଫ କରି ଜେଲ ପଠାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।