ଟପ ମାଓନେତା ଅସୀମ ମଣ୍ଡଳ ଗିରଫ, ମୁଣ୍ଡରେ ଥିଲା ୨.୨୦ କୋଟି ଟଙ୍କାର ପୁରସ୍କାର

Sep 18, 2026 - 14:32
ଟପ ମାଓନେତା ଅସୀମ ମଣ୍ଡଳ ଗିରଫ, ମୁଣ୍ଡରେ ଥିଲା ୨.୨୦ କୋଟି ଟଙ୍କାର ପୁରସ୍କାର

କୋଲକାତା : ପଶ୍ଚିମବଙ୍ଗ ପୁଲିସକୁ ବଡ଼ ସଫଳତା । ଏସ୍‌ଟିଏଫ୍ ହାତରେ ଧାରା ପଡିଲା ସିପିଆଇ ଟପ ମାଓ ନେତା ଅସୀମ ମଣ୍ଡଳ ଓରଫ ଆକାଶ । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅନ୍ତର୍ଗତ ପଟାଶପୁର ଅଞ୍ଚଳରୁ ଅସୀମଙ୍କୁ ଗିରଫ କରାଯାଇଛି । ୧୮ ବର୍ଷ ପରେ ଶ୍ୱଶୁର ଘରକୁ ବୁଲି ଆସିଥିବାବେଳେ ସକାଳେ ପୋଲିସ ହାତରେ ଧରାପଡ଼ିଥିଲେ ଅସୀମ । ସେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲେ । ତାଙ୍କ ନିଜ ଘର ପଶ୍ଚିମ ମେଦିନୀପୁର ଜିଲ୍ଲା ଚନ୍ଦ୍ରକୋନା ଥାନା ଅଞ୍ଚଳରେ ।

ଅସୀମ ମଣ୍ଡଳଙ୍କ ମୁଣ୍ଡରେ ମୋଟ ୨.୨୦ କୋଟି ଟଙ୍କାର ପୁରସ୍କାର ରହିଥିଲା । ଝାଡ଼ଖଣ୍ଡ ସରକାର ୧ କୋଟି ଏବଂ ଓଡ଼ିଶା ସରକାର ୧.୨୦ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଏହି ଘଟଣାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଲିସକୁ ପ୍ରଶଂସା କରିଛନ୍ତି । 

ପୋଲିସ ସୂଚନା ମୁତାବକ, ଅସୀମ ଦୀର୍ଘବର୍ଷ ହେଲା ଫେରାର ଥିଲେ । ପ୍ରାୟ ୧୫ ବର୍ଷ ହେଲା ବିଭିନ୍ନ ରାଜ୍ୟର ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ପୁଲିସ ଏବେ ତାଙ୍କୁ ପଚରାଉଚରା କରୁଛି । ତାଙ୍କ ସହ ଯୋଗାଯୋଗରେ ଥିବା ଅନ୍ୟ ମାଓନେତା ଏବଂ ନେଟୱର୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।