ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ

Sep 07, 2026 - 11:29
ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ

କେନ୍ଦ୍ରାପଡା : ଭିଜିଲାନ୍ସ  ଜାଲରେ  ମହିଳା ଯନ୍ତ୍ରୀ । ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜଳନିଷ୍କାସନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଅନୁପମା ସାହୁ। ଗତକାଲି ସନ୍ଧ୍ୟାରେ ଅନୁପମା ସାହୁଙ୍କ ଗାଡ଼ିରୁ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗିରଫ ପରେ ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି। 

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଅନୁପମା ସାହୁ ନିଜ ମାର୍ଶାଘାଇ ସ୍ଥିତ କାର୍ଯ୍ୟାଳୟରୁ ସରକାରୀ ଗାଡ଼ିରେ କେନ୍ଦ୍ରାପଡ଼ା ନୟନ ବିହାରସ୍ଥିତ ନିଜ ବାସଭବନକୁ ଫେରୁଥିଲେ । ଏହି ସମୟରେ ୫୩-ଏ ନଂ ଜାତୀୟ ରାଜପଥର ମାର୍ଶାଘାଇ ଛକ ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିଲା । ଏହି ଅର୍ଥର କୌଣସି ସନ୍ତୋଷଜନକ ହିସାବ ସେ ଦେଇପାରି ନଥିଲେ । ଏହା ପରେ କେନ୍ଦ୍ରାପଡ଼ାର ନୟନ ବିହାର ସ୍ଥିତ ଅନୁପମା ସାହୁଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ସେଠାରୁ ଭିଜିଲାନ୍ସ ନଗଦ ୪ ଲକ୍ଷ ଟଙ୍କା ପାଇଥିଲା । ମୋଟ ଉପରେ ତାଙ୍କଠାରୁ ନଗଦ ୭ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ  ଅଧିନିୟମ ଅନୁଯାୟୀ ଅନୁପମଙ୍କ ନାଁରେ ମାମଲା ରୁଜୁ କରାଯାଇଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।