ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ମୃତ୍ୟୁ

Sep 19, 2026 - 14:23
ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ମୃତ୍ୟୁ

ମଧ୍ୟପ୍ରଦେଶ : ମଧ୍ୟ ପ୍ରଦେଶରୁ ଆସିଲା ଦୁଃଖଦ ଖବର । ପ୍ରବଳ ବର୍ଷା ଯୋଗୁଁ ନାଳରେ ଭାସିଗଲା ଶ୍ରଦ୍ଧାଳୁଂକ କାର । ୩ ପିଲା, ୨ ମହିଳା, ୩ ପୁରୁଷଙ୍କ ସମେତ ୮ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଡ୍ରାଇଭରଙ୍କ ବାଦ ଅନ୍ୟ ସମସ୍ତ ୭ ମୃତକ ହେଲେ ଓଡ଼ିଆ ଏବଂ ଗୋଟିଏ ପରିବାରର । ମୃତକଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ଅଂଚଳରେ ହୋଇଥିବା ସୂଚନା ରହିଛି । ଉଜୈନ ରୁ ପୂଜା ସାରି ମା' ବଗଳାମୁଖୀଙ୍କ ଦର୍ଶନ କରି ଫେରୁଥିବାବେଳେ ଅଘଟନର ଶିକାର ହୋଇଛନ୍ତି ପରିବାର । ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।  କାର୍‌ରେ କେହି ଜୀବିତ ନଥିବା ଜଣାପଡିଛି  ।

ସୂଚନାନୁସାରେ, ଗତ ୧୬ତାରିଖରେ ଭୁବନେଶ୍ୱର ଜୟଦେବ ବିହାର ବନମାଳୀ ବେହେରା (ଢ଼ାବା ମାଲିକ) ଙ୍କ ପରିବାରର ୭ସଦସ୍ୟ (ଝିଅ ଜ୍ୱାଇଁ ୩ନାତି ନାତୁଣୀ , ପୁଅ ଏବଂ ଅନ୍ୟ ଜଣେ ଅବିବାହିତ ଝିଅ )ମଧ୍ୟପ୍ରଦେଶ ଉଜୈନ ବୁଲିବାକୁ ଯାଇଥିଲେ । ଶନିବାର ମାଲୱାର ନାଲଖେଡା ସ୍ଥିତ ଲଖୁନ୍ଦର ନଦୀ କୂଳରେ ଅବସ୍ଥିତ ମା'ବଗଳାମୁଖୀ ମନ୍ଦିରରେ ଦର୍ଶନ  ଶେଷ କରି ଭଡା ନେଇଥିବା ସ୍ଥାନୀୟ ଏକ କାରରେ ଫେରୁଥିଲେ । ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଖିପିଛୁଳାକେ ପାଣିର ସ୍ରୋତରେ କାର୍‌ଟି ଭାସିଯାଇଥିଲା । ଏହି ଦୁର୍ଘଟଣା ଏତେ ତତ୍‌କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ ମଉକା ମିଳିନଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ କାର୍‌ରୁ ୮ ଜଣଙ୍କ ମୃତଦେହ ବାହାର କରାଯାଇଛି । ସମସ୍ତଙ୍କ ପରିଚୟ ଚିହ୍ନଟ କରାଯିବାର ପ୍ରକ୍ରିୟା ଜାରି ରହିଛି । ଡ୍ରାଇଭରଙ୍କ ଦୁଃସାହସ ଯୋଗୁଁ ଘଟିଥିଲା ଏଭଳି ଦୁର୍ଘଟଣା । ବେପରୁୱା ମନୋଭାବ ଯୋଗୁଁ ଡ୍ରାଇଭରଙ୍କ ସମେତ ଚାଲି ଯାଇଛି ୮ଟି ଅମୁଲ୍ୟ ଜୀବନ । ଏଭଳି ଦୁଃଖଦ ଖବର ଶୁଣିବା ପରେ ବନମାଳୀ ବେହେରାଙ୍କ ପରିବାର ସହିତ ଜୟଦେବ ବିହାର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବନମାଳୀ ବେହେରାଙ୍କ ସାନ ଝିଅର ସେପ୍ଟେମ୍ବର ୨୭ରେ ନିର୍ବନ୍ଧ ହେବାର ଥିଲା ବୋଲି ସୂଚନା ମିଳିଛି  ।
   

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।