"SUJOG" ଜରିଆରେ ସହରାଞ୍ଚଳରେ ମିଳିବ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ ସୁବିଧା

Sep 18, 2026 - 20:35
"SUJOG" ଜରିଆରେ ସହରାଞ୍ଚଳରେ ମିଳିବ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ ସୁବିଧା

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ “ସୁଯୋଗ” ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା ଏସବିଆଇ ଇପେ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ ସାହୁ ଏବଂ ଏସବିଆଇ ପକ୍ଷରୁ ସୁଶାନ୍ତ କୁମାର ଦାଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚି ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏସବିଆଇ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ସହଭାଗିତା ଫଳରେ ନାଗରିକମାନେ “ସୁଯୋଗ” ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପୌର ସେବା, ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ପାଇଁ ଅନଲାଇନରେ ପେମେଣ୍ଟ କରିପାରିବେ । ଏଥିପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଡିଜିଟାଲ ୱାଲେଟ ଭଳି ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ନାଗରିକଙ୍କ ପାଇଁ ସରକାରୀ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସହଜଲଭ୍ୟ କରିବା ସହିତ ନିୟମିତ ପୌର କାରବାର ପାଇଁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତାକୁ କମାଇବା । ଏହା ସହରାଞ୍ଚଳ ଶାସନରେ ସ୍ୱଚ୍ଛତା, ଦକ୍ଷତା ଓ ପେମେଣ୍ଟ ପ୍ରକ୍ରିୟାର ସୁଗମତାକୁ ଆହୁରି ବଢ଼ାଇବ ।

ଏହି ପେମେଣ୍ଟ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସଂଗୃହୀତ ଅର୍ଥର ସୁଗମ ସେଟଲମେଣ୍ଟ ବ୍ୟବସ୍ଥା । ପେମେଣ୍ଟ ଗେଟୱେ ଜରିଆରେ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥା ଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟଲମେଣ୍ଟ କରାଯିବ । ଫଳରେ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକରଣ ଓ ଟ୍ରାକିଂ ସମ୍ଭବ ହେବ l ଏହା ଡିଜିଟାଲ୍ ପେମେଣ୍ଟ ସେବାରେ ଅଧିକ ସ୍ୱଚ୍ଛତା ଆଣିବା ସହ ନାଗରିକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବ l ଏହି ସହଭାଗିତା ଡିଜିଟାଲ୍ ମାଧ୍ୟମରେ ନାଗରିକ ସେବାର ଦକ୍ଷତା, ସୁବିଧା ଓ ସହଜଲଭ୍ୟତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ବୋଲି ଏସିଏସ ଶ୍ରୀମତୀ ପାଢ଼ୀ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।