ରାଜଧାନୀରେ ଆତଙ୍କ ରଚିଲା କଳା ସ୍କର୍ପିଓ , ୨ ମୃତ ୪ ଗୁରୁତର

Oct 14, 2026 - 12:12
ରାଜଧାନୀରେ ଆତଙ୍କ ରଚିଲା କଳା ସ୍କର୍ପିଓ , ୨ ମୃତ ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ମୃତ୍ୟୁ ଦୂତ । ଦିନଟିଏ ନ ବିତୁଣୁ ପୁଣି ରାଜରାସ୍ତାରେ ଆତଙ୍କ ରଚାଇଲା କଳା ସ୍କର୍ପିଓ । କେଶୁରା ସିରିଜ ଦୁର୍ଘଟଣା ପରେ ପରେ ଗତକାଲି ରାତିରେ ରାଜଧାନୀରେ ପୁଣି ଘଟିଛି ହିଟ୍ ଆଣ୍ଡ ରନ୍ । ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତା ଭରତପୁର ଥାନା ସାମପୁର ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଧକ୍କାଦେଇଛି କଳାସ୍କୋର୍ପିଓ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଗାଡି ଭିତରେ ଥିବା ଅନ୍ୟ ଜଣଙ୍କୁ ପୋଲିସ ଧରିଛି । 

ସୂଚନାନୁସାରେ, ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୯ଟାରୁ ୧୦ ଭିତରେ ଏହି ଦୁର୍ଘଟଣା ଘଟିଥିଲା । ସ୍କର୍ପିଓଟି ନୂଆଗାଁରୁ ଭରତପୁର ଅଭିମୁଖେ ଯାଉଥିଲା । ନୂଆଗାଁ ଛକ ନିକଟରେ ଉକ୍ତ ଗାଡ଼ିଟି ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସ୍କର୍ପିଓକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ଡ୍ରାଇଭର ଗାଡ଼ିକୁ ଦ୍ରୁତଗତିରେ ଚଳାଇ ପଳାଇଯାଇଥିଲେ । କିଛି ବାଟ ଯିବା ପରେ ନୂଆଗାଁ ପାର୍ଶ୍ଵରୁ ଆଉ ଏକ ବାଇକ ଯୋଗେ ଆସୁଥିବା ଜଣେ ବ୍ୟକ୍ତିଙ୍କୁ ସ୍କର୍ପିଓଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ସ୍କର୍ପିଓଟି ଚାଳକ ଭୟଭୀତ ହୋଇ ଅତି ବେଗରେ ଚଳାଇଥିଲା । ଗାଡିଟି ଶ୍ୟାମପୁର ଛକ ନିକଟରେ ଆଉ ୪ଟି ବାଇକ୍‌ ଓ ଏକ ଆମ୍ବୁଲାନ୍ସକୁ କ୍ରମାଗତ ଧକ୍କା ଦେଇଥିଲା । ତେବେ ସ୍କର୍ପିଓରେ ଏକ ସ୍କୁଟି ଲାଗିଯିବାରୁ ଅଟକିଯାଇଥିଲା । ଏହାପରେ ସ୍ଥାନୀୟ ଲୋକେ ଗାଡ଼ିଟିକୁ ଘେରିଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ଟେକାପଥର ମାଡ଼ କରିଥିଲେ । ଉତ୍ତେଜନା ଯୋଗୁ ଏକ ଘଣ୍ଟାରୁ ଅଧିକ ସମୟ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଥିଲା । 

ଖବର ପାଇ ଭରତପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରିବା ସହ ଭିଡ଼ ନିୟନ୍ତ୍ରଣ କରିଛି । ଭୁବନେଶ୍ୱର ଡିସିପି ଡ଼. ଶର୍ବଣା ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।