ରାଜ୍ୟର ୧୬ଟି ସ୍ଥାନରେ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ: ଲକ୍ଷେ କୋଟିର ଅକ୍ଷୟ ଶକ୍ତି ନିବେଶ ମଞ୍ଜୁର

Nov 04, 2026 - 06:22
ରାଜ୍ୟର ୧୬ଟି ସ୍ଥାନରେ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ: ଲକ୍ଷେ କୋଟିର ଅକ୍ଷୟ ଶକ୍ତି ନିବେଶ ମଞ୍ଜୁର

ଭୁବନେଶ୍ବର: ଓଡ଼ିଶାର ୫୯ଟି ସ୍ଥାନ‌ରେ ୪୯ ଗିଗାୱାଟ୍‌ କ୍ଷମତାର ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ ସ୍ଥାପନ କରିବା ସମ୍ଭାବନା ରହିଛି।

ସେଥିରୁ ୧୬ଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପ ବିକାଶ ପର୍ଯ୍ୟାୟରେ ରହିଛି ‌ବୋଲି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ଏକ୍ସପୋ ୨୦୨୬ର ଏକ ‌ପ୍ଲେନାରି ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି।

ଅକ୍ଷୟ ଶକ୍ତିକୁ ନେଇ ରାଜ୍ୟର ରହିଥିବା ଯୋଜନା ଉପରେ ଆଲୋକପାତ କରି ସେ କହିଲେ, ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ ବ୍ୟତୀତ ୫୦୦ ଏମ୍‌ଡବ୍ଲ୍ୟୁଏଚ୍‌ କ୍ଷମତାର ବ୍ୟାଟେରି ଶକ୍ତି ସଂରକ୍ଷଣ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯାଉଛି।

ସେଥିପାଇଁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସହାୟତା ମଧ୍ୟ ଦିଆଯାଉଛି।

Advertisment ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ଅକ୍ଷୟ ଶକ୍ତି ଉତ୍ପାଦନ ଚବିଶ ଘଣ୍ଟିଆ ଶକ୍ତି ‌ଯୋଗାଣରେ ପରିଣତ ହୋଇପାରିବ ବୋଲି ଆଶା କରାଯାଉଛି।

ଅକ୍ଷୟ ଶକ୍ତି ନୀତି ୨୦୨୨ ଅନୁଯାୟୀ, ୨୦୩୦ ସୁଦ୍ଧା ୧୧ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସରକାର ୭.୫ ଗିଗାୱାଟ୍‌ର ସୌର ଶକ୍ତି, ୨ ଗିଗାୱାଟ୍‌ର ପବନ ଶକ୍ତି, ୧.୨ ଗିଗାୱାଟ୍‌ର ପମ୍ପ୍‌ଡ ଷ୍ଟୋରେଜ୍‌ ଓ ୨୬୦ ମେଗାୱାଟ୍‌ର କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଛନ୍ତି।

ଅକ୍ଷୟ ଶକ୍ତି କ୍ଷେତ୍ରରେ ରହିଥିବା ଅନ୍ୟ ସମ୍ଭାବନାଗୁଡ଼ିକୁ ହାସଲ କରିବା ପାଇଁ ରାଜ୍ୟ ସରକାର ନିଜ ଜଳଭଣ୍ଡାରଗୁଡ଼ିକୁ ଉପଯୋଗ କରି ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟରେ ୧୨ ଗିଗାୱାଟ୍‌ରୁ ଅଧିକ କ୍ଷମତାର ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ସମ୍ଭାବନା ରହିଛି।

ରେଙ୍ଗାଳି ଜଳଭଣ୍ଡାରରେ ୧୦୦୦ ମେଗାୱାଟ୍‌ର ପ୍ରକଳ୍ପ ପାଇଁ ସରକାର କାର୍ଯ୍ୟବରାଦ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧ ଲକ୍ଷ କୋଟି ଟଙ୍କା ନିବେଶର ୧୬ ଗିଗାୱାଟ୍‌ କ୍ଷମତା ବିଶି‌ଷ୍ଟ ୯୪ଟି ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।