ଲାଲ ଓଠ ଥିବା ମାଛ
ଗଭୀର ସମୁଦ୍ରର ଅଦ୍ଭୁତ ତଥା ରହସ୍ୟମୟ ଜୀବମାନଙ୍କ ମଧ୍ୟରେ 'ରେଡ୍-ଲିପ୍ଡ ବ୍ୟାଟ୍ଫିସ୍' ନାମକ ଏକ ବିଶେଷ ପ୍ରଜାତିର ମାଛ ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାଛଟିର ଓଠ ଗୁଡ଼ିକ ଏତେ ଗାଢ଼ ଲାଲ୍ ରଙ୍ଗର ହୋଇଥାଏ ଯେ ସେଥିରେ ଲିପ୍ଷ୍ଟିକ୍ ଲଗାଯାଇଥିବା ଭଳି ଦେଖିବାକୁ ମିଳିଥାଏ । ତେବେ କେବଳ ଏହାର ନାଲି ଓଠ ନୁହେଁ, ବରଂ ଏହାର ଚାଲିଚଳନ ଏବଂ ଶାରୀରିକ ଗଠନ ମଧ୍ୟ ସାଧାରଣ ମାଛମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସାଧାରଣତଃ ମାଛମାନେ ସମୁଦ୍ର ଜଳରେ ପହଁରିଥାନ୍ତି, କିନ୍ତୁ ଏହି ବ୍ୟାଟ୍ଫିସ୍ ସନ୍ତରଣ କରିବା ବଦଳରେ ନିଜର ପେକ୍ଟୋରାଲ୍ ଏବଂ ପେଲଭିକ୍ , ଫିନ୍ ବା ଡେଣା ଗୁଡ଼ିକୁ ଗୋଡ଼ ଭଳି ବ୍ୟବହାର କରି ସମୁଦ୍ର ତଳଦେଶରେ ଚାଲି ଚାଲି ଯାଇଥାଏ । ଚଉଡ଼ା ଓ ଚେପ୍ଟା ମୁଣ୍ଡ ବିଶିଷ୍ଟ ଏହି ମାଛ ଗୁଡ଼ିକ ମୁଖ୍ୟତଃ ଗାଲାପାଗୋସ୍ ଦ୍ୱୀପପୁଞ୍ଜ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରର ୨୦ ରୁ ୪୦ ମିଟର ଗଭୀରତାରେ ଦେଖିବାକୁ ମିଳିଥାନ୍ତି । ଏହି ମାଛ ଶିକାର କରିବା ପାଇଁ ଏକ ନିଆରା କୌଶଳ ଆପଣାଇଥାଏ । ଏହାର ମୁଣ୍ଡ ଆଗରେ ଏକ ଛୋଟ ଅଙ୍ଗ ଥାଏ ଯାହା ବଡ଼ଶୀର ଆମିଷ କାଟି ଭଳି କାମ କରେ । ଏହାକୁ ହଲାଇ ସେ ଛୋଟ ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ସହ ସେମାନେ ପାଖକୁ ଆସିବା କ୍ଷଣି ଶିକାର କରିଥାଏ । ନିକଟରେ କିଛି ସ୍କୁବା ଡାଇଭର ଏବଂ ଅଣ୍ଡରୱାଟର ଭିଡିଓଗ୍ରାଫରଙ୍କ ଦ୍ୱାରା ଉତ୍ତୋଳିତ ଏହି ସାମୁଦ୍ରିକ ଜୀବର କିଛି ଅଦ୍ଭୁତ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାପରେ ଏହି ପ୍ରଜାତିଟି ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।