ଶବ୍ଦ ପ୍ରଦୂଷଣର ପ୍ରଭାବ
ଗଣପତି ବିସର୍ଜନ ଓ ଉତ୍ସବ ଶୋଭାଯାତ୍ରାରେ ଢୋଲ, ଡିଜେ, ସାଉଣ୍ଡ ବକ୍ସ ଭଳି ସାମଗ୍ରୀର ବ୍ୟବହାର ଖୁବ ଅଧିକ ହୋଇଥାଏ । ତେବେ ଦୀର୍ଘସମୟ ଧରି ଏହିପରି ଅତ୍ୟାଧିକ ଶବ୍ଦ ପ୍ରଦୂଷଣ ମଧ୍ୟରେ ରହିବା ଦ୍ୱାରା କାନ ଉପରେ ଗୁରୁତର ଚାପ ସୃଷ୍ଟି ହୋଇଥାଏ । ଏହାଦ୍ବାରା ମାନସିକ ଓ ଶାରୀରିକ ଚାପ ସୃଷ୍ଟି ହେଉଥିବା ନେଇ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଶବ୍ଦର ତୀବ୍ରତା ସହ ଶବ୍ଦ ଉତ୍ସଠାରୁ ଦୂରତା ଏବଂ ସେଠାରେ ବିତାଉଥିବା ସମୟ ଶ୍ରବଣ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେବେ ବେଳେବେଳେ ଉକ୍ତସ୍ଥାନରୁ ଆସିବା ପରେ କାନରେ ଶାଇଁ ଶାଇଁ ଶବ୍ଦ ହେବା, କାନ ବନ୍ଦ ହୋଇଯିବା କିମ୍ବା କମ୍ ଶୁଭିବା ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଦେଇଥାଏ । ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । କାନର ଭିତର ଭାଗରେ ଥିବା ସୂକ୍ଷ୍ମ ସମ୍ବେଦନଶୀଳ କୋଷଗୁଡ଼ିକ ଅତ୍ୟାଧିକ ଶବ୍ଦ ସଂସ୍ପର୍ଶରେ ଆସି ଥରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ ତାହା ପୁନର୍ବାର ସୃଷ୍ଟି ହୋଇପାରନ୍ତି ନାହିଁ । ଫଳରେ ସ୍ଥାୟୀ ବଧିରତା ଏବଂ 'ଟିନିଟସ୍' ଭଳି ଅସାଧ୍ୟ ସମସ୍ୟା ଉପୁଜିବାର ଡର ରହିଥାଏ । ଯଦି ଏଭଳି କୌଣସି ଲକ୍ଷଣ ଦେଖିବାକୁ ମିଳେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।