ସମ୍ବଲପୁରରେ ଡପଲର ୱେଦର ରାଡାର କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର : ପାଣିପାଗ ଆକଳନରେ ଅଧିକ ସଶକ୍ତ ହେବ ରାଜ୍ୟ । ସମ୍ବଲପୁରରେ ଅତ୍ୟାଧୁନିକ ଡପଲର ରାଡାର ସିଷ୍ଟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ ।
ଅତ୍ୟାଧୁନିକ ଡପଲର ରାଡାର ସିଷ୍ଟମ ଉଦଘାଟନ ଫଳରେ ବିପର୍ଯ୍ୟୟ ପରିଚାଳନା ଆହୁରି ଅଧିକ ମଜବୁତ ହୋଇପାରିବ । ସି-ବ୍ୟାଣ୍ଡର ଏହି ରାଡାର ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳର ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବ । ଏହି ରାଡାର ଦ୍ୱାରା ବର୍ଷାଠାରୁ ଆରମ୍ଭ କରି ବଜ୍ରପାତ, କାଳବୈଶାଖୀ, କୁଆପଥର ବର୍ଷା ଏବଂ ଅତିବୃଷ୍ଟି ଓ ଅନାବୄଷ୍ଟି ଭଳି ପାଣିପାଗ ଘଟଣାର ପୂର୍ବାନୁମାନ ଆକଳନରେ କରିପାରିବ । ଯାହାଦ୍ୱାରା ଚାଷୀ ଏବଂ ସାଧାରଣ ଲୋକେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ ।
କିଛିଦିନ ହେଲା ରାଡାରଟି ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି । ଏହି ରାଡାର କାର୍ଯ୍ୟକ୍ଷମ ହେବା ଦ୍ୱାରା ପାଣିପାଗର ଆଗୁଆ ସୂଚନା ମିଳିବା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଆହୁରି ମଜବୁତ ହେବ । ଆଗୁଆ ସୂଚନା ମିଳିଲେ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରାଯିବ । ଏହାସହ ଧନଜୀବନ କ୍ଷୟକ୍ଷତିକୁ କମାଇବା ସମ୍ଭବ ହେବ। ଏହା କାର୍ଯ୍ୟକ୍ଷମ ହେବା ପରେ ବିଶେଷ କରି କୃଷିପ୍ରଧାନ ପଶ୍ଚିମ ଓଡି଼ଶାର ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ମିଳିବ ବଡ ଫାଇଦା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।