ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି

Oct 24, 2026 - 16:21
ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଭୁବନେଶ୍ଵର :​  ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ । ପୂର୍ବ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ଆଜି ସେହି ଅଞ୍ଚଳରେ ରହିବା ସହ ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ଏହା ଗଭୀର ଅବପାତର ରୂପ  ନେଇ ୨୬ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି  । 

ବର୍ତ୍ତମାନର ଅନୁମାନ ଅନୁସାରେ ଏହି ବାତ୍ୟା କାକିନାଡ଼ା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଆଜି ବାତ୍ୟାର ଗତିପଥ ଓ ଦିଗ ସଂକ୍ରାନ୍ତରେ ଆକଳନ କରାଯାଇ ମାନଚିତ୍ର ଜାରି କରାଯିବ । ବାତ୍ୟା ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୩୫ ରୁ ୪୫ କିମି ପ୍ରତି ଘଣ୍ଟା ରହିଛି। ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର। ଆସନ୍ତାକାଲି ୫୫ ରୁ ୬୫ ଏବଂ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଅତିବେଶିରେ ୯୦ କିମି ଘଣ୍ଟାପ୍ରତି ବେଗରେ ପବନ ବହିବ । ଯାହାଫଳରେ ଗଛ ଓ ବିଦ୍ୟୁତ ଖୁଣ୍ଟି ପଡ଼ିଯିବା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

ଏହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଓଡ଼ିଶାର ୬ଟି ଜିଲ୍ଲା ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଯଥା ଇନ୍‌ଫ୍ଲେଟେବଲ୍ ବୋଟ୍, ଆଉଟ୍‌ବୋର୍ଡ ମୋଟର୍, ଲାଇଫ୍‌ବୋଟ୍, ଲାଇଫ୍ ଜ୍ୟାକେଟ୍, ଉଚ୍ଚ କ୍ଷମତାସମ୍ପନ୍ନ ଜଳ ନିଷ୍କାସନ ପମ୍ପ,  ହାଇଡ୍ରୋଲିକ୍ କଟର୍, ହାଇଡ୍ରୋଲିକ୍ ସ୍ପ୍ରେଡର୍, ପ୍ରାଥମିକ ଚିକିତ୍ସା କିଟ୍ ଏବଂ ସର୍ଚ୍ଚଲାଇଟ୍ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି । ବର୍ତ୍ତମାନ ମୁଖ୍ୟତଃ ପ୍ରବଳ ବର୍ଷାକୁ ଆଖିଆଗରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଯଦି ବାତ୍ୟା ନିଜର ଦିଗ ପରିବର୍ତ୍ତନ କରେ, ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।