ମାଛ ଧରିବାକୁ କେନ୍ଦ୍ରକରି ନାବାଳକକୁ ହତ୍ୟା କଲା ନାବାଳକ

Oct 23, 2026 - 12:20
ମାଛ ଧରିବାକୁ କେନ୍ଦ୍ରକରି ନାବାଳକକୁ ହତ୍ୟା କଲା ନାବାଳକ

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁରରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ମାଛ ଧରିବାକୁ ନେଇ ଜଣେ ନାବାଳକକୁ ହତ୍ୟା କରିଛି ଅନ୍ୟଜଣେ ନାବାଳକ । ଗତ ୨୧ତାରିଖ ଦିନ ଘଟିଛି ଏହି ଘଟଣା । ଆଜି ପୋଖରୀ ହୁଡ଼ାରୁ ମୃତ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ବେକରେ ଗାମୁଛା ବାନ୍ଧି ହତ୍ୟା କରାଯାଇଥିବା ଜଣାପଡିଛି ।

ସୂଚନାନୁସାରେ, ଖବର ଅନୁଯାୟୀ, ଗତ ୨୧ତାରିଖ ଦିନ ୨ନାବାଳକ ଗାଁ ପୋଖରୀକୁ ମାଛ ବନିସୀରେ ମାରିବାକୁ ଯାଇଥିଲେ । ତେବେ ସେଠାରେ କିଏ ଆଜି ମାଛ ଧରିବା ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଜଣେ ନାବାଳକ ଅନ୍ୟ ଜଣଙ୍କ ବେକକୁ ଗାମୁଛାରେ ଭିଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ମୃତଦେହକୁ ଏକ ବୁଦାମୂଳରେ ଲୁଚାଇ ଚାଲିଆସିଥିଲେ ଅଭିଯୁକ୍ତ ନାବାଳକ । 

ସେପଟେ ନାବାଳକ ନିଖୋଜ ଥିବା ନେଇ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଶୁକ୍ରବାର ସକାଳୁ ଗାଁ ପୋଖରୀ ହୁଡ଼ାରୁ ନିଖୋଜ ନାବାଳକଙ୍କ ମୃତଦେହ ମିଳିଛି । ତେବେ ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ ।ଘଟଣା ସଂପର୍କରେ ସୂଚନା ପାଇ ବିଜେପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟା ପଛର ପ୍ରକୃତ କାରଣ ଓ ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।