ସାଙ୍ଗକୁ ଡାକିନେଇ ତଣ୍ଟି କାଟି ହତ୍ୟା: ପାର୍ବଣରେ ଗଡ଼ିଲା ମୁଣ୍ଡ, ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ
ବୁଗୁଡ଼ା: ଧାର ନ ଦେବାକୁ କେନ୍ଦ୍ର କରି ଗଞ୍ଜାମଜିଲ୍ଲା ବୁଗୁଡ଼ା ସହର ତଳଓଡ଼ିଆ ସାହିରେ ଗତକାଲି ଦଶହରାରେ ହତ୍ୟାକାଣ୍ଡ ଘଟିଛି। ସାଙ୍ଗକୁ ଘରୁ ଡାକିନେଇ ତଣ୍ଟି କାଟି ହତ୍ୟା କରିଛି। ମୃତକ ହେଉଛନ୍ତି ସନ୍ତୋଷ ରାଉତ (୩o)। ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବସନ୍ତ ନାୟକ (୩୬) ଫେରାର ହୋଇଯାଇଛି।
ସନ୍ତୋଷ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଦେଢ଼ବର୍ଷ ହେଲା ଗାଁକୁ ଫେରି ବେପାର କରିବା ଉଦ୍ଦେଶ୍ୟରେ ଏକ କାର୍ କିଣିଥିଲେ। କିନ୍ତୁ ବ୍ୟବସାୟ ଭଲ ନ ହେବାରୁ ମାସେ ହେଲା ଭୁବନେଶ୍ୱର ଯାଇ ‘ରାପିଡୋ ବାଇକର୍’ ଭାବେ କାମ କରୁଥିଲେ। ଦଶହରା ପାଇଁ ୪ ଦିନ ହେଲା ଗାଁକୁ ଆସିଥିଲେ। ସନ୍ତୋଷଙ୍କୁ ଦେଖିବା ପରେ ବସନ୍ତ କିଛି ଟଙ୍କା ଧାର ମାଗିଥିଲା। ତେବେ ପୂର୍ବରୁ ନେଇଥିବା ପ୍ରାୟ ୩ ଲକ୍ଷ ଟଙ୍କା ବସନ୍ତ ଫେରାଇ ନ ଥିବାରୁ ସନ୍ତୋଷ ପୁଣି ଧାର ଦେବାକୁ ମନା କରିଦେଇଥିଲେ। ଏପରିିକି ଧାର ନେଇଥିବା ବିଷୟରେ ବସନ୍ତର ପତ୍ନୀଙ୍କୁ କହିଥିଲେ।
Education: ଯାଜପୁର ଜିଲ୍ଲାର ପ୍ରଥମ କୁଣ୍ହା କିଷାନ ଆଦିବାସୀ ଡାକ୍ତରୀ ପଢ଼ିଲେ
ଏଥିରେ ବସନ୍ତ ପ୍ରତିଶୋଧପରାୟଣ ହୋଇ ସନ୍ତୋଷଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା। ଗତକାଲି ବସନ୍ତ ତା’ର ମୋପେଡ୍ ପୂଜା କରିବା ପରେ ସନ୍ତୋଷଙ୍କୁ ଡାକିଥିଲା। ସନ୍ତୋଷ ନିଜ ବାଇକ୍ ପୂଜା ନକରି ବସନ୍ତର କଥାରେ ବିଶ୍ବାସ କରି ଗତକାଲି ସକାଳ ୯ଟା ୪୦ରେ ତାକୁ ଗାଡ଼ିରେ ବସାଇ ଘରୁ ବାହାରିଯାଇଥିଲେ। କିଛି ସମୟ ପରେ ମୋଟାବାଡ଼ି ରାସ୍ତାର ବାରିକପଲ୍ଲୀ ନିକଟ କାଜୁତୋଟା ସଂଲଗ୍ନ ରାସ୍ତାକଡ଼ରୁ ସନ୍ତୋଷଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ମିଳିଥିଲା। ତାଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିଲା। ବୁଗୁଡ଼ା ପୁଲିସ ଶବ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ବସନ୍ତର ମୋବାଇଲ ମିଳିଥିଲା।
Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ
ହତ୍ୟାକାରୀକୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଥିଲା। ଅପରାହ୍ଣରେ ବସନ୍ତ ତାର ଶ୍ବଶୁରଘର ଗୋଲିଆ ଗ୍ରାମରେ ଲୁଚିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିବା ବେଳେ ସେ ବିଲ ଭିତରେ ଦୌଡ଼ି ପଳାଇଥିଲା। ବସନ୍ତକୁ ପଚରାଉଚରା କରିବା ପରେ ହିଁ ଘଟଣା ସ୍ପଷ୍ଟ ହେବ ବୋଲି ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତକୁ ଗିରଫ ଦାବିରେ ସାହିର ବହୁ ପୁରୁଷ ଓ ମହିଳା ବୁଗୁଡ଼ା ଥାନା ଘେରାଉ କରିଥିଲେ। ଭଞ୍ଜନଗର ଏସ୍ଡିପିଓ ଦୀପକ କୁମାର ମିଶ୍ର ବୁଗୁଡ଼ା ଥାନାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ସେହିପରି ସନ୍ଧ୍ୟାରେ ସାହିବାସିନ୍ଦା ସନ୍ତୋଷଙ୍କ ସ୍ମୃତିରେ ମହମବତି ଶୋଭାଯାତ୍ରା ଆୟୋଜନ କରି ନ୍ୟାୟ ଦାବି କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।