ସାର୍ବଜନୀନ ହେବ ନାହିଁ ରତ୍ନ ଭଣ୍ଡାର ତାଲିକା - ଆଇନମନ୍ତ୍ରୀ

Sep 11, 2026 - 15:22
ସାର୍ବଜନୀନ ହେବ ନାହିଁ ରତ୍ନ ଭଣ୍ଡାର ତାଲିକା - ଆଇନମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ପ୍ରତିକ୍ରିୟା । ରତ୍ନଭଣ୍ଡାରର ନୂତନ ଅଳଙ୍କାର ତାଲିକା କିମ୍ବା ଗଣତିମଣତି ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ମହାପ୍ରଭୁଙ୍କର ଏକ ଗୁପ୍ତ ସେବା ଭଳି । ଏହା କୌଣସି ସାଧାରଣ ପ୍ରଚାର ବା ସୋସିଆଲ ମିଡିଆ ରିଲ୍ସ ପାଇଁ ଉଦ୍ଦିଷ୍ଟ ନୁହେଁ । ଏଣୁ ସୁରକ୍ଷା ଓ ପରମ୍ପରା ଦୃଷ୍ଟିରୁ ଏହି ରିପୋର୍ଟକୁ ଗୋପନ ରଖାଯିବ । ରତ୍ନଭଣ୍ଡାରରୁ ମିଳିଥିବା ମହାପ୍ରଭୁଙ୍କ ସୁନା, ରୂପା ଓ ମୂଲ୍ୟବାନ ରତ୍ନର ଗଣତି କାର୍ଯ୍ୟ ଶେଷ ହେବା ପରେ, ସେଗୁଡ଼ିକର କୌଣସି ବିବରଣୀ ସାର୍ବଜନୀନ କରାଯିବ ନାହିଁ ।

ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରତ୍ନଭଣ୍ଡାରର ପ୍ରତ୍ୟେକଟି ଅଳଙ୍କାର ଓ ମୂଲ୍ୟବାନ ଦ୍ରବ୍ୟର ଗଣତି-ମଣତି କରାଯାଇ ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଇଜେସନ୍ (Digitization) କରାଯାଇଛି । ୩ଡି ସ୍କାନିଂ, ହାଇ-ରିଜୋଲ୍ୟୁସନ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମାଧ୍ୟମରେ ପ୍ରତ୍ୟେକ ଗହଣାର ଆକାର, ଓଜନ, ଗଠନ ଓ ରତ୍ନର ବିବରଣୀକୁ ଏକ ସୁରକ୍ଷିତ ଡିଜିଟାଲ ଡାଟାବେସ୍‌ରେ ସଂରକ୍ଷିତ କରି ରଖାଯାଇଛି । ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ୧୯୭୮ ମସିହାର ପୁରୁଣା ତାଲିକାକୁ ଆଧାର କରି ନୂତନ ଗଣତି ପ୍ରକ୍ରିୟାରେ ଅଳଙ୍କାରଗୁଡ଼ିକୁ ମିଳାଯାଇ ଦେଖାଯାଇଛି । ନୂଆ ତାଲିକା ସମ୍ପୂର୍ଣ୍ଣ ହେବା ପରେ ଏହାକୁ ସରକାରୀ ସ୍ତରରେ ଏକ ସୁରକ୍ଷିତ ସରକାରୀ ରେକର୍ଡ ଭାବେ ସଂରକ୍ଷିତ କରି ରଖାଯିବ, କିନ୍ତୁ ଜନସାଧାରଣଙ୍କ ପାଇଁ ପ୍ରକାଶ କରାଯିବ ନାହିଁ । ଦୁର୍ଗା ପୂଜା ପରେ ଏହି ଗଣତି ପ୍ରକ୍ରିୟା ନିୟମିତ ଭାବେ ଚାଲିବ ଏବଂ ମାର୍ଗଶିର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରି ଛନ୍ତି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।