ସ୍ବର ବଦଳାଉଥିବା ପକ୍ଷୀ
ହିମାଳୟ ଅଞ୍ଚଳରେ ପର୍ଯ୍ୟଟକ ଏବଂ ଗାଡ଼ିମଟରର ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ସୁନ୍ଦର ପକ୍ଷୀ 'ମୋନାଲ୍' ନିଜର ସ୍ୱରରେ ପରିବର୍ତ୍ତନ ଆଣିଥିବା ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି । ଉତ୍ତରାଖଣ୍ଡର ଦୁଇଟି ଉପତ୍ୟାକାରେ ମୋନାଲ ପକ୍ଷୀର ୭୦୦ରୁ ଅଧିକ ସ୍ୱର ରେକର୍ଡ କରାଯାଇ ପରୀକ୍ଷା କରାଯିବା ପରେ ଏହି ତଥ୍ୟ ମିଳିଛି । କୋଳାହଳପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହାର ସ୍ୱରର ପିଚ୍ ଏବଂ ଫ୍ରିକୁଏନ୍ସି ଶାନ୍ତ ପରିବେଶ ତୁଳନାରେ ଅଧିକ ଥିବା ଦେଖାଯାଇଛି । ଉତ୍ତରାଖଣ୍ଡର ରାଜ୍ୟ ପକ୍ଷୀ ତଥା ନେପାଳର ଜାତୀୟ ପକ୍ଷୀ ଭାବେ ମାନ୍ୟତା ପାଇଥିବା ଏହି ମୋନାଲ୍ ପକ୍ଷୀର ସବୁଜ, ନୀଳ ଓ ତମ୍ବା ରଙ୍ଗର ଆକର୍ଷଣୀୟ ଡେଣା ରହିଛି । ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ପକ୍ଷୀଗୁଡ଼ିକ ଅଧିକ ଉଚ୍ଚ ସ୍ଥାନକୁ ଚାଲିଯାଉଛନ୍ତି । ଯାହାଫଳରେ କେତେକ ସ୍ଥାନରୁ ସେମାନେ ସମ୍ପୂର୍ଣ୍ଣ ଗାଏବ ହୋଇଯିବାର ବିପଦ ସୃଷ୍ଟି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।