ହାତୀ -ମଣିଷ ଲଢେଇ, ୨ ମୃତ

Oct 09, 2026 - 12:26
ହାତୀ -ମଣିଷ ଲଢେଇ, ୨ ମୃତ

କୁଚିଣ୍ଡା /ହିନ୍ଦୋଳ : ଥମୁନାହିଁ ହାତୀ ମଣିଷ ଲଢେଇ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଅସମୟରେ ଯାଉଛି ଜୀବନ । ଏବେ ୧୦ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣିଗଲା ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ହିନ୍ଦୋଳ ବନାଞ୍ଚଳ ହାତୁରା ପଞ୍ଚାୟତ ଜୟପଙ୍ଗା ଗାଁର ସ୍ଵପ୍ନେଶ୍ଵର ବିଶ୍ଵାଳ । ଗାଁ ମୁଣ୍ଡ ରାସ୍ତାରେ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି  ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛନ୍ତି । ୫ଦିନ ହେବ ହାତୁରା, ପଡା, ଜୟପଙ୍ଗା ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ଵ ହାତୀ ରହି ଉପଦ୍ରବ ଚଳାଇଛନ୍ତି ।

ସେପଟେ, ଗତକାଲି ଠାରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲ  ଉପଦ୍ରଵ କରୁଛନ୍ତି । ବନ ବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ନାକେଦମ୍ ହୋଇପଡ଼ିଥିଲା । ସନ୍ଧ୍ୟାରେ ହାତୀ ପଲ ପତ୍ରାପାଲି ଅଞ୍ଚଳରେ ରହିଥିବା ବେଳେ ଆଜି ଭୋରରୁ ସଇଡା ଗାଁର ଅଞ୍ଜଳି କୁସୁମ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।