ହୋଟେଲରେ ମାଂସ ତରକାରୀକୁ ନେଇ ଉତ୍ତେଜନା !
ପାଗା: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଖଣ୍ଢେଇ ହୋଟେଲରେ ମଟନ୍ ମିଲରେ ଗୋମାଂସ ମିଶାଇ ଖାଇବାକୁ ଦିଆଯାଉଛି ବୋଲି ଆଜି ଏକ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ସେପଟେ ଜଗତପୁର ପୁଲିସ ଓ ଯୋନ ଏକର ଏସିପି ଅରୁଣ ସ୍ବାଇଁ ମଧ୍ୟ ପହଞ୍ଚି ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ପାଟପୁରର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ପିଲାକୁ ଧରି ଉକ୍ତ ହୋଟେଲରେ ମଟନ୍ ମିଲ ଖାଇବାକୁ ମାଗିଥିଲେ। ମିଲ୍ ଖାଇବା ସମୟରେ ସେ ଏକ ବଡ଼ ହାଡ଼ ଦେଖିବାକୁ ପାଇଥିଲେ। ହାଡ଼ଟି ଏକ ଲାଲ ରଙ୍ଗର ହୋଇଥିଲା। ତେଣୁ ସେ ସନ୍ଦେହ କଲେ ଯେ ଏହା ମଟନ୍ ବା ଛେଳି ମାଂସ ନୁହେଁ। ତେଣୁ ସେ ସଙ୍ଗେ ସଙ୍ଗେ ହୋଟେଲ କର୍ମଚାରୀଙ୍କୁ ଜଣାଇବା ସହ ନିକଟସ୍ଥ ଜଗତପୁର ଥାନାକୁ ଜଣାଇଥିଲେ। ଏଭଳି ଅନେକ ଅନୈତିକ ଘଟଣା ଆଗରୁ ଘଟିଥିବାର ନଜର ଅଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ହାଡ଼କୁ ଜବତ କରି ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଯାଇଛି। ସେପଟେ ଏସିପି ଅରୁଣ ସ୍ବାଇଁ କହିଛନ୍ତି ଯେ ଯଦି ଟେଷ୍ଟରେ ତାହା ଗୋମାଂସ ପ୍ରମାଣିତ ହୁଏ ତେବେ ଉକ୍ତ ହୋଟେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।