୨୬ରୁ ୨୯ ଚିଲିକାରେ ଭସାପୋଲ ଚଳାଚଳ ବନ୍ଦ

Oct 26, 2026 - 15:34

ବ୍ରହ୍ମଗିରି: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଜିଲାପାଳଙ୍କ ନିର୍ଦେଶ ମୁତାବକ ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଭସାପୋଲ, ଘାଟଡଙ୍ଗା ଓ ପର୍ଯ୍ୟଟକଙ୍କୁ ବୁଲାଉଥିବା ଡଙ୍ଗା ଚଳାଚଳ ବନ୍ଦ ରହିବ। ଆବଶ୍ୟକ ପଡ଼ିଲେ ଏହି କଟକଣା ଦିନକୁ ବଢ଼ାଯିବ ବୋଲି ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଏନେଇ ଚିଲିକା କୂଳରେ ବିଭିନ୍ନ ସ୍ଥାନରେ ନୋଟିସ ମଧ୍ୟ ଲଗାଯାଇଛି। ଏଥିଯୋଗୁ ପୁରୀରୁ କୃଷ୍ଣପ୍ରସାଦ ଯିବା ଆସିବା ଏକ ପ୍ରକାର ବନ୍ଦ ରହିବ। ଭସାପୋଲ ସାଙ୍ଗକୁ ଡଙ୍ଗା ଚଳାଚଳ ବନ୍ଦ ହେବା ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମସ୍ୟା ବଢ଼ିଯିବାର ଆଶଙ୍କା ଦେଖାଦେଇଛି। ସେହିପରି ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାରେ ପର୍ଯ୍ୟଟକଙ୍କୁ ବୁଲାଉଥିବା ସମସ୍ତ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ କରାଯିବା ସହ ପ୍ରଶାସନ ପକ୍ଷରୁ ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଚାଲୁଥିବା ଦୁଇଟି ଘାଟ ଡଙ୍ଗାକୁ ମଧ୍ୟ ଚାରି ଦିନ ପାଇଁ ବନ୍ଦ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅଧୀନ କୃଷ୍ଣପ୍ରସାଦ ବ୍ଲକର ୧୪ଟି ପଞ୍ଚାୟତ ଚିଲିକା ଆରପଟେ ରହିଥିବା ବେଳେ ୭ଟି ପଞ୍ଚାୟତ ଚିଲିକା ଏପଟେ ରହିଛି। ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଦୀର୍ଘ ୪କିଲୋମିଟର ଚିଲିକା ପାରି ହୋଇ କୃଷ୍ଣପ୍ରସାଦ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବାକୁ ହୁଏ। ଭସାପୋଲ ଉପରେ ଲୋକେ ଯାନବାହନ ଲଦି ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକା ପାର ହୋଇଥାନ୍ତି। ଚିଲିକାରେ ଯିବା ଆସିବା ପାଇଁ ସ୍ଥାୟୀ ପୋଲ ନ ଥିବାରୁ କୃଷ୍ଣପ୍ରସାଦବାସୀଙ୍କ ପାଇଁ ଏହା ନିତିଦିନିଆ ଘଟଣା ହୋଇ ରହିଛି। ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

୩୧ ଅକ୍ଟୋବରରେ ବୃହସ୍ପତି ଏବଂ କେତୁଙ୍କ ସଂଯୋଗ: ଏହି ୪ ରାଶିଙ୍କୁ କରିବ ମାଲାମାଲ୍..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।