03 OCTOBER 2026

Welcome!

Unlock your personalized experience.
Sign Up

୩ ଶିବିରରେ ରହିବେ ୨୫୦୦ ହବିଷ୍ୟାଳି: ୧୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍‌ ଆବେଦନ

Oct 03, 2026 - 07:54
୩ ଶିବିରରେ ରହିବେ ୨୫୦୦ ହବିଷ୍ୟାଳି: ୧୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍‌ ଆବେଦନ

ପୁରୀ: ଚଳିତ ବର୍ଷ କାର୍ତ୍ତିକ ବ୍ରତ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ଯାଏଁ ଚାଲିବ। ସରକାରଙ୍କ ଦ୍ବାରା ୩ଟି ହବିଷ୍ୟାଳି ଶିବିର କରାଯିବ। ଶିବିରରେ ରହିବା ପାଇଁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାନସିକ ଓ ଶାରୀରିକ ସୁସ୍ଥ ଥିବା ୭୦ ବର୍ଷରୁ କମ୍‌ ବୟସର ମହିଳା ଶିବିରରେ ରହିବାର ସୁଯୋଗ ପାଇବେ। ୭୦ବର୍ଷରୁ କମ୍‌ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତା ମହିଳା ଶିବିରରେ ରହିବା ପାଇଁ ଆବେଦନ କରିପାରିବେ। https://edistrict.odisha.gov.in ମାଧ୍ୟମରେ ଆବେଦନ କରିବେ। ୨୫ଶହ ଆବେଦନ ପରେ ଏହି ସାଇଟ୍‌ରେ ଆଉ ଆବେଦନ ସମ୍ଭବ ହେବ ନାହିଁ। ଗତବର୍ଷ ମାତ୍ର ୩୬ ମିନିଟ୍‌ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ ଶେଷ‌ ହୋଇଯାଇଥିଲା। କିଛି ମହିଳା ଧାର୍ଯ୍ୟ ମାର୍ଗଦର୍ଶିକା ପରିସରରେ ଆସୁନଥିଲେ ମଧ୍ୟ ଆବେଦନ କରିଥିଲେ। ତେଣୁ ଯେଉଁମାନେ କନଫର୍ମ ମେସେଜ ପାଉନାହାନ୍ତି କିମ୍ବା ସରକାରଙ୍କ ମାର୍ଗଦର୍ଶିକା ବା ମାନଦଣ୍ଡ ପରିସରରେ ଆସୁନାହାନ୍ତି, ସେମାନେ ଆବେଦନ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Dr Ashutosh Mahapatra: ନୋବେଲ୍‌ ବିଜେତାଙ୍କ ସହ ଡ. ମହାପାତ୍ରଙ୍କ ଆଲୋଚନା

୧୦ ତାରିଖ ସକାଳ ୧୦ଟାରୁ ଅନ୍‌ଲାଇନ୍‌ ଆବେଦନ
 ୭୦ବର୍ଷରୁ କମ୍‌ ବିଧବା, ୫୦-୭୦ ବର୍ଷ ବିବାହିତା ଆବେଦନ କରିପାରିବେ

ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ଶିବିର କରାଯାଇଛି। ଗତବର୍ଷ ୪ଟି ଶିବିର ହୋଇଥିଲେ ହେଁ ଏବର୍ଷ ବଗଲା ଧର୍ମଶାଳା ହବିଷ୍ୟାଳି ଶିବିରରୁ ବାଦ ପଡ଼ିଛି। ମାତ୍ର ହବିଷ୍ୟାଳିଙ୍କ ସଂଖ୍ୟା ସେଇ ୨୫ଶହରେ ସୀମିତ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ୍‌ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ସୂଚନା ଦେଇ କହିଛନ୍ତି, ଚଳିତ ବ‌ର୍ଷ ବୃନ୍ଦାବତୀ ନିବାସ, ମୋଚିସାହି ଛକ ମ୍ୟୁନିସିପାଲିଟି କଲ୍ୟାଣମଣ୍ଡପ ଓ ଷ୍ଟେସନ ନିକଟ ରେଲୱେ ଟୁରିଷ୍ଟ୍‌ କମ୍ପ୍ଲେକ୍ସ ପରିସରରେ ଶିବିରବ୍ୟବସ୍ଥା ହୋଇଛି। ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଗତବର୍ଷ ୬୫୩ ହବିଷ୍ୟାଳି ରହିଥିଲେ ହେଁ ଚଳିତ ବର୍ଷ‌ ସେଠାରେ ୧ହଜାରରୁ ଅଧିକ ହବିଷ୍ୟାଳି ରହିବାର କ୍ଷମତା ରହିଛି।  ରହଣି ସମୟରେ ହବିଷ୍ୟାଳିଙ୍କୁ ନିଃଶୁଳ୍କ ରହିବା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ସୁବିଧା ଉପଲବ୍ଧ ହେବ। ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ମହାନଗର ନିଗମର ଯୁଗ୍ମ କମିସନର ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଉପସ୍ଥିତ ଥିଲେ। ହବିଷ୍ୟାଳିମାନେ ଆସିବାକୁ ମେସେଜ ପାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ଅସୁସ୍ଥ ଥିବା ଜଣାପଡ଼ିଲେ ଶିବିରରେ ରହିବାର ସୁଯୋଗ ମିଳିବ ନାହିଁ। ଯେଉଁ ମହିଳା ସରକାରଙ୍କ ମାନଦଣ୍ଡ ପୂରଣ କରୁନାହାନ୍ତି; ନିଜେ ଚଳପ୍ରଚଳ କରିବାକୁ ସକ୍ଷମ ନୁହନ୍ତି, ଆବେଦନ ପରେ ରହଣି ସୁନିଶ୍ଚିତ କରାଗଲା ବୋଲି ମେସେଜ ପାଇନାହାନ୍ତି ସେମାନେ ନଆସିବାକୁ ନିବେଦନ କରାଯାଇଛି।

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।