105-Year-Old Murder Convict Freed: ସୁପ୍ରିମକୋର୍ଟଙ୍କ ମାନବିକ ରାୟ, ୧୦୫ ବର୍ଷୀୟ ହତ୍ୟା ଅଭିଯୁକ୍ତଙ୍କୁ ଜେଲ୍‌ରୁ ମୁକ୍ତି

Aug 22, 2026 - 14:03
105-Year-Old Murder Convict Freed: ସୁପ୍ରିମକୋର୍ଟଙ୍କ ମାନବିକ ରାୟ, ୧୦୫ ବର୍ଷୀୟ ହତ୍ୟା ଅଭିଯୁକ୍ତଙ୍କୁ ଜେଲ୍‌ରୁ ମୁକ୍ତି

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ୧୦୫ ବର୍ଷୀୟ ହତ୍ୟା ଅଭିଯୁକ୍ତକୁ ମୁକ୍ତ କରିଛନ୍ତି। ବୟସାଧିକ କାରଣ ଓ ସ୍ୱାସ୍ଥ୍ୟଗତ ଅବସ୍ଥାକୁ ନଜରରେ ରଖି ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ସହ କେସ୍‌କୁ ମଧ୍ୟ ବନ୍ଦ କରିଛନ୍ତି। କୋର୍ଟ କହିଛନ୍ତି, ଏବେ ତାଙ୍କୁ ଆଉ ଜେଲ୍‌କୁ ଫେରିବାକୁ ପଡ଼ିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଳା ବାଗଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଅଭିଯୁକ୍ତ ରସିକ ଚନ୍ଦ୍ର ମଣ୍ଡଳ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ବାସିନ୍ଦା। ୧୯୮୮ ମସିହାରେ ସମ୍ପତ୍ତି ବିବାଦକୁ ନେଇ ତାଙ୍କ ଭାଇ ସୁରେଶ ମଣ୍ଡଳଙ୍କୁ ସେ ହତ୍ୟା କରିଥିଲେ। ୧୯୯୪ରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ। ସେତେବେଳେ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏହା ପରେ ରସିକ୍ କୋଲକାତା ହାଇକୋର୍ଟରେ ଆବେଦନ କରି ତଳକୋର୍ଟ ଦେଇଥିବା ରାୟକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଦୀର୍ଘ ଶୁଣାଣି ପରେ ୨୦୧୮ ମସିହାରେ କୋଲକାତା ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରି ତଳକୋର୍ଟର ରାୟକୁ ବଜାୟ ରଖିଥିଲେ।

ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ମଣ୍ଡଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସେଠାରେ ମଧ୍ୟ ସେ ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ। ସେଠାରେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ।

୨୦୨୦ରେ ବୟସକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ମୁକ୍ତ କରିବାକୁ ଆବେଦନ କରିଥିଲେ। ସେତେବେଳେ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ଏହାପରେ ୨୦୨୧ରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ମାମଲାରେ ନୋଟିସ୍ ଜାରି କରିଥିଲେ। ଏହା ମଧ୍ୟରେ ରସିକ୍ ୨୦୨୪ ନଭେମ୍ବର ୨୯ ଯାଏଁ ଜେଲ୍‌ରେ ଥିଲେ। ଏହା ପରେ ସୁପ୍ରିମକୋର୍ଟ ରସିକ୍‌ଙ୍କ ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। 

କିନ୍ତୁ ଏବେ ସୁପ୍ରିମକୋର୍ଟ ଏହି ମାମଲାକୁ ବନ୍ଦ କରିବା ସହ ଅତ୍ୟଧିକ ବୟସ, ଦୀର୍ଘ ସମୟର କାରାବାସ ଏବଂ ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ଦେଇ ମୁକ୍ତ କରିଛନ୍ତି। ୨୦୨୪ର ଜାମିନ ଆଦେଶକୁ ଚୂଡାନ୍ତ ରୂପ ଦେଇଛନ୍ତି। ୧୦୫ ବର୍ଷ ବୟସରେ ରସିକ ଚନ୍ଦ୍ର ମଣ୍ଡଳ ଏବେ ମୁକ୍ତ ଭାବେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।