13 Missing in Odisha Landslide: କାନ୍ଦୁଛି ଗାଁ, ଖୋଜୁଛି ପରିବାର ! ଭୂସ୍ଖଳନରେ ମାଟି ତଳେ ୧୩ ଜୀବନ
ଆଠ ଆଠଟା ପରିବାରର ୧୩ ଜଣ ସଦସ୍ୟ ମାଟି ତଳେ ଚାପି ହୋଇଯାଇଛନ୍ତି ।
ହସ ଖୁସିର ସଂସାର ଉପରେ ମୃତ୍ୟୁର ପାହାଡ଼ ଅତଡ଼ା ଖସାଇଛି ।
କିଏ ଭାବିଥିଲା, ଏମିତି ମାଡ଼ି ଆସିବ ମୃତ୍ୟୁର ପାହାଡ଼ !
ଆଖି ପିଛୁଳାକେ ସବୁକିଛି ଛାରଖାର ହୋଇଯିବ ।
ମାଟି ତଳେ ଚାପି ହୋଇଯିବ ଘରଦ୍ୱାର, ସ୍ୱପ୍ନ ଓ ଜୀବନ ।
ଚାରିଆଡ଼େ ଆତଙ୍କ, ଆଉ ପରିବାର ଲୋକଙ୍କ ଆଖିରେ ଲୁହ ।
ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାପଲ୍ଲୀ ଗାଁରୁ ଆସିଛି ଏଭଳି ଛାତିଥରା ଘଟଣା ।
ବାତ୍ୟା ଅର୍ଣ୍ଣବ ଚାଲିଯିବା ପରେ ଏଇଠି ତାଣ୍ଡବ ରଚିଛି ବନ୍ୟା ଆଉ ଭୂ ସ୍ଖଳନ ।
ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାପଲ୍ଲୀ ଗାଁରେ ପାହାଡ଼ ଧସି ପୋତି ହୋଇଯାଇଛନ୍ତି ୮ଟି ପରିବାରର ୧୩ ଜଣ ।
କେଉଁଠି ଘରର ଚିହ୍ନବର୍ଣ୍ଣ ନାହିଁ ତ ଆଉ କେଉଁଠି ମାଟି ତଳେ ଲୁଚି ରହିଛି ଜୀବନର ଶେଷ ଆଶା ।
ନିଜ ଲୋକଙ୍କୁ ଖୋଜି ଖୋଜି ପରିବାର ବର୍ଗଙ୍କ ଆଖିରୁ ଲୁହ ଶୁଖୁନି ।
ତେବେ ଏହି ଭୟଙ୍କର ବିପର୍ଯ୍ୟୟ ଭିତରେ ମିଳିଛି ଆଶ୍ୱସ୍ତିର ଖବର ।
ଗୋଟିଏ ପରିବାରର ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି ।
ସେମାନେ ଜୀବନ ବଞ୍ଚାଇ ଉଦୟଗିରି ବ୍ଲକରେ ଆଶ୍ରୟ ନେଇଛନ୍ତି ।
ଏବେ ବି ୧୩ ଜଣଙ୍କ ପତ୍ତା ମିଳୁନି ।
କେହି ନିଜ ବାପାଙ୍କୁ ଖୋଜୁଛି ତ କେହି ମାଆଙ୍କୁ, ଆଉ କାହାର ଅପେକ୍ଷା ନିଜ ପିଲାଙ୍କ ଫେରିବା ବାଟକୁ ।
ପ୍ରକୃତିର ଏହି କରାଳ ରୂପ ଗୋଟିଏ ଗାଁର ଚିତ୍ର ବଦଳାଇ ଦେଇଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।