15 Babies Killed in hospital Fire: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୫ ନବଜାତ; ମାଆ କୋଳ ଖାଲି କରିଦେଲା ନିଆଁ
ପାକିସ୍ତାନର ରାଜଧାନୀ ଇସଲାମାବାଦର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଘଟିଛି। ପାକିସ୍ତାନର ଗଣମାଧ୍ୟମର ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ୱାର୍ଡର ନର୍ସରୀ ବିଭାଗରେ ୧୬ ଜଣ ନବଜାତ ଶିଶୁ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ରକ୍ଷା କରାଯାଇପାରିଛି।
ଉଦ୍ଧାରକାରୀମାନେ କହିଛନ୍ତି ଯେ ବହୁତ ଚେଷ୍ଟା ପରେ ହସ୍ପିଟାଲରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିଶମ ବାହିନୀ ଦଳ ବର୍ତ୍ତମାନ କୁଲିଂ ଅପରେସନ୍ କରୁଛନ୍ତି। ଆଜି ସକାଳ ୭ଟାରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ଏହା ଶିଶୁ ୱାର୍ଡକୁ ବ୍ୟାପିଯାଇଥିଲା।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଛଅଟି ଅଗ୍ନିଶମ ବାହିନୀ ଗାଡ଼ି ଓ ଚାରୋଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ସ୍ଥାନୀୟ ପ୍ରଶାସନ ଏକ କମିଟି ଗଠନ କରିଛି। ମାମଲାର ତଦନ୍ତ ଆରମ୍ଭ ହୋଇଛି।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁମାନଙ୍କ ସହିତ ଜଡିତ ଯେକୌଣସି ଦୁଃଖଦ ଘଟଣା ଏକ ଅପୂରଣୀୟ କ୍ଷତି ବୋଲି ସରିଫ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।