Colorful Biryani Raises Food Safety Concerns: ବିରିୟାନୀରେ ମିଶୁଛି ରଙ୍ଗ, ଖାଦ୍ୟ ନିରାପତ୍ତାକୁ ନେଇ ବଢ଼ିଲା ଚିନ୍ତା
ଟକଟକ୍ ଲାଲ୍ ରାଙ୍ଗ, ପୁଣି କେବେ ହଳଦିଆ। ପାଟିକୁ ଭାରୀ ସୁଆଦିଆ କିନ୍ତୁ ଖାଇଲା ପୂର୍ବରୁ ସାବଧାନ… ଖାଦ୍ୟରେ ଥିବା ଲାଲ, ହଳଦିଆ, ନୀଳ ଭଳି ରଙ୍ଗ ଆପଣଙ୍କୁ ଦେଇପାରେ କ୍ୟାନ୍ସର। କଟକରୁ ଭୁବନେଶ୍ବର, ବ୍ରହ୍ମପୁରରୁ ବାଲେଶ୍ବର। ଓଡ଼ିଶା ହେଉ କି ହାଇଦ୍ରାବାଦ୍, ମୁମ୍ବାଇ ହେଉ କି କୋଲକାତା। ସବୁଠୁ ଅଧିକ ପସନ୍ଦ ସବୁଠି ଅଧିକ ବିକ୍ରି ହେଉଥିବା ଗୋଟିଏ ଖାଦ୍ୟ ବିରିୟାନୀ। କିନ୍ତୁ ଯଦି, ଆମେ କହିବୁ ଏହା ବିରିୟାନୀ ନୁହେଁ ଏହା ବିଷ…ବିପଦ ଆଣିପାରେ…ମୃତ୍ୟୁ ମୁଖକୁ ଠେଲିପାରେ। ଖାଦ୍ୟରେ ରଙ୍ଗ ମାନେ ଜୀବନ ପ୍ରତି ବିପଦ। ଆଉ ଏଇ ରଙ୍ଗ ମିଶା ଖାଦ୍ୟର ବଜାରରେ ପ୍ରବଳ ଚାହିଦା। ଦେଖୁନାହାନ୍ତି ବିରାୟାନୀରେ ଏମିତି ଅନେକ ରଙ୍ଗ ମିଶି ବିକ୍ରି ହେଉଛି, ଆଉ ସେ ସବୁକୁ ମନ ଭରୀ ଖାଉଛନ୍ତି ଗ୍ରାହକ।
ସବୁଠୁ ଅଧିକ ବିପଦ ଲାଲ୍ ରଙ୍ଗରେ। ଫୁଡ୍ କଲର ନାଁରେ ଅନେକ ରଙ୍ଗ ବଜାରରେ ମିଳୁଛି। ବିନା ଅନୁମତି, ବିନା କୌଣସି ତାଲିମରେ ଏସବୁକୁ ଖୁଲମଖୁଲା ଆଖି ଆଗରେ ମିଶାଇ ଖାଇବା ପ୍ରସ୍ତୁତ ହେଉଛି। ଖାଲି କଣ ବିରିୟାନୀ, ଚିକେନ୍ ପକୋଡ଼ା, ରୋଲ୍ ସହ ଯାବତୀୟ ଫାଷ୍ଟ୍ ଫୁଡ୍। ଯେତେ ଫାଷ୍ଟ ୟା ପ୍ରସ୍ତୁତି, ସେତେ ଫାଷ୍ଟ୍ ଏହା ଆପଣଙ୍କ ଶରୀରକୁ ବିପଦ ଭିତରକୁ ଠେଲୁଛି। ବିପଦ ଏମିତି ସେମିତି ନୁହେଁ, ଶରୀରରେ ଆଲେର୍ଜୀ ହେବାଠୁ ନେଇ ନିଶ୍ବାସରେ ସମସ୍ୟା ଓ କ୍ୟାନସର ଯାଏଁ ବିପଦ ସୃଷ୍ଟି କରିପାରେ। ବଡ଼ ତ ବଡ଼ ଛୋଟ ଛୁଆଙ୍କ ପାଇଁ ଅଧିକ ବିପଦ। ଅଳ୍ପ ବହୁତ ଆମେ ଏସବୁ ଜାଣିଛୁ, ତଥାପି ମନ କଣ ମାନୁଛି…ସେଥିପାଇଁ ରଙ୍ଗ ମିଶା ଖାଦ୍ୟର ଚାହିଦା ବି ବଜାରରେ ପ୍ରବଳ।
ମହାରାଷ୍ଟ୍ରରେ IAS ତୁକାରାମ ମୁଢେ ଏଫଡିଏର ନିର୍ଦ୍ଦେଶକ ଦାୟିତ୍ବ ନେବା ପରେ ମୁମ୍ବାଇ ସମେତ ପୁରା ରାଜ୍ୟର ଦୃଶ୍ୟ ବଦଳି ଯାଇଛି। ରଙ୍ଗ ହଟିଛି, ସାଧା ସାଧା ଅର୍ଥାତ ଯେଉଁ ଖାଦ୍ୟର ଯେମିତି ରଙ୍ଗ ସେମିତି ଫେରି ଆସିଛି। IAS ତୁକାରାମଙ୍କ ପ୍ରଭାବ ଓଡ଼ିଶାରେ ବି ପଡ଼ିଛି। ଭେଜାଲ୍ ପନିରକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଲା ଦୁଇ ସପ୍ତାହ ହେଲା ଜୋରଦାର ଖୋଳତାଡ଼ ହେଉଛି। ଗତକାଲି କୋରାପୁଟ ଓ ଦୁଇ ଦିନ ତଳେ ଭୁବନେଶ୍ବରରୁ ଢେଙ୍କାନାଳ ଯାଏଁ ହୋଟେଲ, ଫାଷ୍ଟଫୁଡ୍, ବେକେରୀ ଓ ଫ୍ରୁଟ୍ ଜୁସ୍ ଦୋକାନରେ ତଲାସୀ କରୁଛି ଖାଦ୍ୟ ନିରପତ୍ତା ଅଧିକାରୀ। ହେଲେ ଖାଦ୍ୟ ଉପରୁ ଏଇ ରଙ୍ଗର ଚାଦର କେମିତି ଓ କେବେ ହଟିବ ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।