2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍!
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ ପେମେଣ୍ଟ ଉପରେ ଭରସା କରି ଘରୁ ବାହାରିବାର ଭୁଲ ଆଦୌ କରନ୍ତୁ ନାହିଁ, ନଚେତ ବିଲ ପୈଠ କରିବା ସମୟରେ ଅସୁବିଧାରେ ପଡ଼ିପାରନ୍ତି।
ଆଜି ସାରା ଦେଶର ବଡ଼ ବଡ଼ ସହରଗୁଡ଼ିକରେ ବ୍ୟବସାୟୀମାନେ ‘ନୋ ୟୁପିଆଇ ଡେ’ (No UPI Day) ପାଳନ କରୁଛନ୍ତି। ମୁମ୍ୱାଇଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଦୋକାନୀମାନେ ଆଜି କୌଣସି ବି ଗ୍ରାହକଙ୍କଠାରୁ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରିବେ ନାହିଁ। ଦୋକାନଗୁଡ଼ିକରେ ଲାଗିଥିବା କ୍ୟୁଆର୍ (QR) କୋଡ ସ୍କାନର୍ କଳା କପଡ଼ାରେ ଘୋଡ଼ା ହୋଇ ରହିବ ଏବଂ ସାଉଣ୍ଡ ବକ୍ସଗୁଡ଼ିକ ନୀରବ ରହିବ। ଆସନ୍ତୁ ଜାଣିବା, ବ୍ୟବସାୟୀମାନେ ଏଭଳି ହଠାତ ପଦକ୍ଷେପ କାହିଁକି ନେଇଛନ୍ତି ଏବଂ ଏହି ସମଗ୍ର ବିବାଦର କାରଣ କ’ଣ।
ଦୋକାନୀମାନଙ୍କ ଏହି ବିରୋଧ ପ୍ରଦର୍ଶନର ସବୁଠାରୁ ବଡ଼ କାରଣ ହେଉଛି MDR ଶୁଳ୍କ (Merchant Discount Rate), ଯାହାକୁ ସରକାର ୧୫ ଅକ୍ଟୋବରରୁ ଲାଗୁ କରିବାକୁ ଯାଉଛନ୍ତି।
୧୫ ଅକ୍ଟୋବରରୁ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟେକ ୟୁପିଆଇ କାରବାର ଉପରେ ୦.୪୦% MDR ଶୁଳ୍କ ଲାଗୁ ହେବ। ଯଦି କୌଣସି ଗ୍ରାହକ ୧୦,୦୦୦ ଟଙ୍କାର ସପିଂ କରୁଛନ୍ତି, ତେବେ ଦୋକାନୀଙ୍କ ଖାତାରୁ ସିଧାସଳଖ ୪୦ ଟଙ୍କା କଟିଯିବ। ପାର୍ୱଣ (ଦଶହରା-ଦୀପାବଳି) ଋତୁରେ ପୋଷାକ, ଇଲେକ୍ଟ୍ରୋନିକ୍ସ ଏବଂ ମିଠା କିଣାକିଣି ସାଧାରଣତଃ ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥାଏ। ଦୋକାନୀମାନଙ୍କ କହିବା କଥା ଯେ ସେମାନଙ୍କର ଲାଭ ପୂର୍ୱରୁ ହିଁ କମ ରହିଛି, ଏଭଳି ସ୍ଥିତିରେ ଏହି ଶୁଳ୍କ ସେମାନଙ୍କ ପକେଟ ଉପରେ ଭାରୀ ପଡ଼ିବ।
ମୁମ୍ୱାଇର ବୋରିଭଲିଠାରୁ ଆରମ୍ଭ କରି ଦିଲ୍ଲୀର ସିଟିଆଇ (CTI) ସହ ଜଡ଼ିତ ୧୦୦ରୁ ଅଧିକ ବଡ଼ ବ୍ୟବସାୟୀ ସଂଗଠନ ଏହି ବିରୋଧରେ ସାମିଲ ଅଛନ୍ତି। ଅବଶ୍ୟ, CAIT (କ୍ୟାଟ) ନିଜକୁ ଏହି ’ନୋ ୟୁପିଆଇ ଡେ’ରୁ ଦୂରେଇ ରଖିଛି।
ବ୍ୟବସାୟୀମାନଙ୍କ ବିରୋଧ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ସ୍ଥିତି ସ୍ପଷ୍ଟ କରି କିଛି ଆଶ୍ୱସ୍ତିକର ନିୟମ ସମ୍ପର୍କରେ ସୂଚନା ଦେଇଛି। ଯେଉଁ ଛୋଟ ଦୋକାନୀମାନଙ୍କର ୟୁପିଆଇ ଜରିଆରେ ମାସିକ ଆୟ ୧ ଲକ୍ଷ ଟଙ୍କାରୁ କମ, ସେମାନଙ୍କୁ ଏହି MDR ଶୁଳ୍କରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଛି। ବଡ଼ କାରବାର ଉପରେ ଲାଗୁ ହେବାକୁ ଥିବା ଶୁଳ୍କର ସର୍ୱାଧିକ ସୀମା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍, ଯଦି କୌଣସି ଗ୍ରାହକ ୫ ଲକ୍ଷ ଟଙ୍କାର ପେମେଣ୍ଟ ମଧ୍ୟ କରନ୍ତି, ତଥାପି ଦୋକାନୀଙ୍କ ଖାତାରୁ ସର୍ୱାଧିକ କେବଳ ୩୦୦ ଟଙ୍କା ହିଁ କଟିବ।
ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ MDR ଟଙ୍କା ସରକାରଙ୍କ ପାଖକୁ ଯାଏ ନାହିଁ। ବ୍ୟାଙ୍କ, ଆପ ଏବଂ ଡିଜିଟାଲ ପେମେଣ୍ଟ ନେଟୱାର୍କକୁ ସୁଚାରୁରୂପେ ଚଳାଇବା ପାଇଁ ଏହା ଏକ ପ୍ରୋସେସିଂ ଫି’ (ପ୍ରକ୍ରିୟାକରଣ ଶୁଳ୍କ) ଅଟେ।
ଯଦି ଆପଣ ଆଜି ସପିଂ, ରେଷ୍ଟୁରାଣ୍ଟ କିମ୍ୱା ମିଠା ଦୋକାନକୁ ଯାଉଛନ୍ତି, ତେବେ ନିଜ ପାଖରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା (କ୍ୟାଶ) କିମ୍ୱା ଡେବିଟ/କ୍ରେଡିଟ କାର୍ଡ ନିଶ୍ଚୟ ରଖନ୍ତୁ। ଆଜିର ଦିନରେ କେବଳ UPI ଭରସାରେ ବାହାରକୁ ବାହାରିଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।