20 Killed in Massive Fire on Cargo Ship: ଚୀନ୍‌ରେ ବିଦେଶୀ କାର୍ଗୋ ଜାହାଜରେ ଭୟାବହ ଅଗ୍ନିକାଣ୍ଡ, ୨୦ ମୃତ

Sep 10, 2026 - 16:59
20 Killed in Massive Fire on Cargo Ship: ଚୀନ୍‌ରେ ବିଦେଶୀ କାର୍ଗୋ ଜାହାଜରେ ଭୟାବହ ଅଗ୍ନିକାଣ୍ଡ, ୨୦ ମୃତ

ଚୀନ୍‌ର ପୂର୍ବାଞ୍ଚଳ ବନ୍ଦର ସହର କିଙ୍ଗଦାଓର ଏକ ଶିପ୍‌ୟାର୍ଡରେ ମରାମତି କାମ ଚାଲିଥିବା ବେଳେ ବିଦେଶୀ ପତାକା ଲାଗିଥିବା ଏକ କାର୍ଗୋ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଚୀନ୍‌ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି।

ସରକାରୀ ନ୍ୟୁଜ୍ ଏଜେନ୍ସି ସିନହୁଆ ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ପ୍ରାୟ ସକାଳ ୧୧ଟା ୧୫ ମିନିଟ୍‌ରେ ଶାଣ୍ଡୋଙ୍ଗ ପ୍ରଦେଶର କିଙ୍ଗଦାଓସ୍ଥିତ ବେଇହାଇ ଶିପ୍‌ବିଲ୍ଡିଂ କୋ. ଶିପ୍‌ୟାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ଘଟଣା ପରେ ଚୀନ୍‌ କର୍ତ୍ତୃପକ୍ଷ ତୁରନ୍ତ ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ସିନହୁଆ କହିଛି, “ଶାଣ୍ଡୋଙ୍ଗ ପ୍ରଦେଶର କିଙ୍ଗଦାଓସ୍ଥିତ ବେଇହାଇ ଶିପ୍‌ବିଲ୍ଡିଂ କୋ. ଲିମିଟେଡ୍‌ର ଏକ ବିଦେଶୀ କାର୍ଗୋ ଜାହାଜ ମରାମତି ପାଇଁ ବନ୍ଦରରେ ଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା। ଏଥିରେ ବହୁ ଲୋକଙ୍କ ମୃତାହତ ହୋଇଛି।”

ଅଗ୍ନିକାଣ୍ଡର କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏହି ମୃତ୍ୟୁ ଘଟିଲା, ସେନେଇ ପ୍ରାଥମିକ ଭାବେ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ। ଜାହାଜ ଭିତରେ କିଛି ଲୋକ ଫସି ରହିଥିବା କିମ୍ବା ନିଖୋଜ ଥିବା ଆଶଙ୍କା ମଧ୍ୟ କରାଯାଉଛି।

ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ୍ ନିଖୋଜ ଲୋକଙ୍କୁ ତୁରନ୍ତ ଖୋଜିବା ସହ ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିନହୁଆ କହିଛି ଯେ ସେ ନିଖୋଜ ବ୍ୟକ୍ତିଙ୍କୁ ତୁରନ୍ତ ଖୋଜିବା ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍ ମଧ୍ୟ ଜାହାଜ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ କହିଛନ୍ତି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟର ବିପଦ ଯେପରି ନଘଟେ, ସେଥିପାଇଁ ସତର୍କ ରହିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସିନହୁଆ ପ୍ରକାଶ କରିଥିବା ଏକ ଫଟୋରେ ଶିପ୍‌ୟାର୍ଡରେ ଏକ ବଡ଼ ଜାହାଜ ଡକ୍‌ରେ ଥିବା ଏବଂ ତା’ ନିକଟରେ ଅନେକ ଦମକଳ ଗାଡ଼ି ରହିଥିବା ଦେଖାଯାଇଛି।
Ocean Melody ନାମକ ପ୍ରାୟ ୧୯୦ ମିଟର ଲମ୍ବର ଏକ ବଲ୍କ୍ କାର୍ଗୋ ଜାହାଜ ଏହି ଜାହାଜ ହୋଇପାରେ ବୋଲି MarineTrafficର ତଥ୍ୟରୁ ଜଣାପଡ଼ିଛି। ଏହି ଜାହାଜଟିରେ ଲାଇବେରିଆ ପତାକା ଲାଗିଥିବା ଏବଂ କିଙ୍ଗଦାଓରେ ଲଙ୍ଗର ପକାଇଥିବା ଦେଖାଯାଇଥିଲା।

ଅଗ୍ନିକାଣ୍ଡ ପରେ ସୁରକ୍ଷା ଯାଞ୍ଚ ପାଇଁ ଜିନପିଙ୍ଗଙ୍କ ନିର୍ଦ୍ଦେଶ

ଜିନପିଙ୍ଗ କହିଛନ୍ତି ଯେ, ସମସ୍ତ ଅଞ୍ଚଳ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ଏହି ଘଟଣାରୁ ଶିକ୍ଷା ଗ୍ରହଣ କରିବା ସହ ସମସ୍ତ ପ୍ରକାର ଅଗ୍ନିକାଣ୍ଡର ବିପଦକୁ ଚିହ୍ନଟ କରି ତାହାର ସମ୍ପୂର୍ଣ୍ଣ ଯାଞ୍ଚ ଓ ନିରାକରଣ କରିବା ଆବଶ୍ୟକ।
ଗତ କିଛି ମାସ ମଧ୍ୟରେ ଚୀନ୍‌ରେ ଏକାଧିକ ବଡ଼ ଶିଳ୍ପ ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ କାର୍ଯ୍ୟସ୍ଥଳରେ ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।